jayashree

ଗଣେଶ ପୂଜା ଓ ପାର୍ବଣଋତୁ ପାଇଁ କଟକଣା ଜାରି କଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଗଣେଶ ପୂଜା ଓ ପାର୍ବଣ ଉତ୍ସବ ପାଳନ ପାଇଁ ଗଞ୍ଜାମ ପୋଲିସ ପ୍ରଶାସନ କେତେକ କଟକଣା ଜାରି କରିଛନ୍ତି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି.ଙ୍କ ନିର୍ଦ୍ଦେଶରେ ଲାଗୁ ହୋଇଥିବା କେତେକ କଟକଣା ଓ ନିୟମାବଳୀ ସମ୍ବନ୍ଧରେ ଜନସାଧାରଣରେ ଅବଗତ ହେବା ନିମନ୍ତେ ବୁଧବାର ଏକ ବୈଠକ ଡକାଯାଇଥିଲା । ଛତ୍ରପୁର ଆଦର୍ଶ ଥାନାର ସମ୍ମିଳନୀ ଗୃହରେ ଛତ୍ରପୁର ସହରାଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ଗଣେଶ ପୂଜା ଏବଂ ଦଶହରା ପାର୍ବଣ ସମୟରେ ଉଦ୍ଧିଷ୍ଟ ଶୃଙ୍ଖଳିତ ନିୟମ ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଏସ୍‌ଡିପିଓ ଚନ୍ଦନ ଘଡ଼େଇ, ଛତ୍ରପୁର ପୌର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଯୋଗଦେଇ ଲାଗୁ ହୋଇଥିବା ନିୟମ ଧାରା ଓ କଟକଣା ଉପରେ ଆଲୋକପାତ କରି କହି ଏହି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ । ଏହି ବୈଠକରେ ସମସ୍ତ ଡି.ଜେ. ଅପରେଟର ଓ ମାଲିକ, ପୂଜା କମିଟିର ସଦସ୍ୟ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରକାରର ନିୟମ ଧାରା କାନୁନକୁ ଉଲଂଘନ କଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ଗଞ୍ଜାମ ପୋଲିସ ଜିଲ୍ଲାରେ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ତଥା ପୁରପଲ୍ଲୀରେ ଗଣେଶ ପୂଜା ତଥା ପାର୍ବଣ ଉତ୍ସବ ପାଳନରେ ଅନେକ ଗୁଡ଼ିଏ ଗାଇଡ୍ ଲାଇନ୍ ଜାରୀ କରାଯାଇଛି । ପୂଜା ମଣ୍ଡପରେ ଶୃଙ୍ଖଳିତ ବ୍ୟବସ୍ଥାପନା କରିବାକୁ ପୂଜା କମିଟିର ଆୟୋଜକ ତଥା କମିଟି ଉପରେ ଦାୟିତ୍ୱ ନ୍ୟସ୍ତ କରିବାକୁ କୁହାଯାଇଛି । ପୂଜା ମଣ୍ଡପରେ ଭକ୍ତଙ୍କ ଦର୍ଶନ ନିମନ୍ତେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଆବଶ୍ୟକ ସଂଖ୍ୟାରେ ସ୍ୱେଚ୍ଛାସେବୀ ନିୟୋଜିତ କରିବା ଆବଶ୍ୟକ, ଶବ୍ଦ ଧ୍ୱନିରେ ସୀମିତ ରହିବା ସାଂଗକୁ ରାତି ୧୦ ଘଣ୍ଟା ଠାରୁ ସକାଳ ୬ଟା ମଧ୍ୟରେ ଶବ୍ଦ ଧ୍ୱନି ପ୍ରଦୂଷଣ କରିବା ନିଷେଧ କରାଯାଇଛି । ପୂଜା ମଣ୍ଡପ ପକ୍ଷରୁ ମୂର୍ତ୍ତି ବିସର୍ଜନ କରିବାକୁ ହେଲେ ଶୃଙ୍ଖଳିତ ଭାବେ ବର୍ଣ୍ଣାଢ୍ୟ ଶୋଭାଯାତ୍ରା/ପଟୁଆରରେ ନେଇ ଆତସବାଜି, ବାଜା, ବାଣ ଉପରେ ସତର୍କତ୍ତା ଅବଲମ୍ବନ କରିବା ଆବଶ୍ୟକ ସହ ଶବ୍ଦ ଧ୍ୱନି ପ୍ରଦୂଷଣରେ ସୀମିତ ରହିବା ଆବଶ୍ୟକ ବୋଲି କୁହାଯାଇଛି । ପରିତ୍ୟକ୍ତ ଜଳାଶୟରେ ବିସର୍ଜନ କରିବା ସାଂଗକୁ ସ୍ଥାନୀୟ ପୌର କର୍ତ୍ତୃପକ୍ଷ ଅବା ପଞ୍ଚାୟତ ସମିତି କର୍ତ୍ତୃପକ୍ଷଙ୍କ ଅନୁମତିରେ ଭସାଣୀ କରିବା ଆବଶ୍ୟକ ବୋଲି କୁହାଯାଇଛି । ଏଥି ସାଂଗକୁ ଗଣେଶ ପୂଜା ତଥା ଦଶହରା ପାର୍ବଣ ଉତ୍ସବ ପରେ ଭସାଣୀ ଯାତ୍ରାରେ ପୂଜା କମିଟି ଉପରେ ହିଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

Leave A Reply

Your email address will not be published.