
ବଲାଙ୍ଗିର, (କେପିଏନ୍ଏସ୍) : ସୋସିଆଲ ମିଡିଆ “ଏକ୍ସ”ରେ ଜଣେ ଅସହାୟ ଓଡ଼ିଆ ପରିବାରର ଅନୁରୋଧ ପାଇବା ମାତ୍ରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ତତ୍ପର ହସ୍ତକ୍ଷେପ ଫଳରେ ମୃତ ଦେହ ଓଡିଶା ଫେରିପାରିଛି । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ସିଲେଟପଡ଼ା ଗ୍ରାମର ୨୬ ବର୍ଷୀୟ ଯୁବକ ଦେବେନ୍ଦ୍ର ସୁନା ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ ଏବଂ ଅସୁସ୍ଥତା କାରଣରୁ ବେଙ୍ଗାଲୁରୁର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁବରଣ କରିଥିବା ବଲାଙ୍ଗିରର ଯୁବକ ଦେବେନ୍ଦ୍ର ସୁନାଙ୍କ ପରିବାରକୁ ହସ୍ପିଟାଲ କତୃପକ୍ଷ ବକେୟା ବିଲ୍ ଜମା କରିବା ପାଇଁ କହିଥିଲେ । ଏ ସମ୍ପର୍କରେ ଦେବୀପ୍ରସାଦ ନାମରେ ଜଣେ ୟୁଜର ସାମାଜିକ ଗଣମାଧ୍ୟମରେ ମାନ୍ୟବର ମନ୍ତ୍ରୀଙ୍କୁ ଜଣାଇଥିଲେ । ଏ ଖବରକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ସକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଡା. ମୁକେଶ ମହାଲିଙ୍ଗ ମୃତକ ଦେବେନ୍ଦ୍ର ସୁନାଙ୍କ ପରିବାରକୁ ଜରୁରୀକାଳୀନ ସହାୟତା ଯୋଗାଇଦେବା ପାଇଁ “ଏକ୍ସ” ମାଧ୍ୟମରେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ସରକାରୀ ଅନୁଦାନ ସିଧାସଳଖ ବେଙ୍ଗାଲୁର ସ୍ଥିତ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି । ସରକାରଙ୍କର ଏହି ତୁରନ୍ତ ପଦକ୍ଷେପ ଯୋଗୁଁ ମୃତ ଶରୀର ଆମ୍ବୁଲାନ୍ସ ଯୋଗେ ଓଡିଶାକୁ ଫେରୁଛି । ପରିବାର ଲୋକମାନେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।