
- ବଲାଙ୍ଗିରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ – ଅଧ୍ୟକ୍ଷା ଲିକା ସାହୁ
ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପୌର ସଂସ୍ଥାର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତାକୁ ସମ୍ମାନିତ କରାଯାଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମେୟର, ବିଧାୟକ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏବଂ ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ ଅନେକ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ । ରାଜ୍ୟର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ୪ଟି ପୌର ପରିଷଦ ଓ ୧୧ଟି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ରାଜସ୍ୱ ଆଦାୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ସଫଳତା ଆଧାରରେ ପୌର ସଂସ୍ଥାଗୁଡ଼ିକୁ ପୁରସ୍କୃତ କରାଯାଇଥିଲା । ୯୦ ପ୍ରତିଶତରୁ ଅଧିକ ସଫଳତା ପାଇଥିବା ସଂସ୍ଥାକୁ ୨ କୋଟି ଟଙ୍କା, ୮୦ ପ୍ରତିଶତରୁ ଅଧିକ ସଫଳତା ପାଇଥିବା ସଂସ୍ଥାକୁ ୧ କୋଟି ଟଙ୍କା ଏବଂ ୭୦ ପ୍ରତିଶତରୁ ଅଧିକ ସଫଳତା ପାଇଥିବା ସଂସ୍ଥାକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ସମ୍ମାନଜନକ ଅବସରରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ । ପୁରସ୍କାର ଗ୍ରହଣ ପରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଏହି ୧ କୋଟି ଟଙ୍କାର ପୁରସ୍କାର ରାଶିକୁ ବଲାଙ୍ଗିର ସହରର ବନ୍ଧ ଉନ୍ନୟନ ଓ ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ବିନିଯୋଗ କରାଯିବ । ବନ୍ଧର ଅନେକ ଉନ୍ନୟନମୂଳକ କାର୍ଯ୍ୟ ଏପର୍ଯ୍ୟନ୍ତ ବାକି ରହିଥିବାରୁ ସେଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରି ସହରବାସୀଙ୍କ ପାଇଁ ଏକ ସୁନ୍ଦର ଓ ଉନ୍ନତ ପରିବେଶ ସୃଷ୍ଟି କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଏହି ସମ୍ମାନ କେବଳ ବଲାଙ୍ଗିର ପୌର ପରିଷଦର ନୁହେଁ, ଏହା ବଲାଙ୍ଗିର ସହରର ପ୍ରତ୍ୟେକ ନାଗରିକଙ୍କର ସମ୍ମାନ । ସହରବାସୀଙ୍କ ସହଯୋଗ, ବିଶ୍ୱାସ ଓ ଭଲପାଇବା ଯୋଗୁଁ ଆଜି ବଲାଙ୍ଗିର ପୌରପରିଷଦ ଏହି ସଫଳତା ହାସଲ କରିପାରିଛି । ଏହି ସମ୍ମାନକୁ ମୁଁ ବଲାଙ୍ଗିରର ସମସ୍ତ ନାଗରିକଙ୍କୁ ସମର୍ପିତ କରୁଛି । ରାଜ୍ୟସ୍ତରରେ ମିଳିଥିବା ଏହି ଗୌରବମୟ ସମ୍ମାନ ବଲାଙ୍ଗିର ପୌର ପରିଷଦ ପାଇଁ ଏକ ଐତିହାସିକ ସଫଳତା ହୋଇଥିବାବେଳେ, ସମଗ୍ର ବଲାଙ୍ଗିର ବାସୀଙ୍କ ପାଇଁ ଆଣିଛି ଗର୍ବ ଓ ଆନନ୍ଦର ମୁହୂର୍ତ୍ତ ।