ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ପଞ୍ଚାୟତର ପୁରେନା ଗାଁର ବରିଷ୍ଠ ସମାଜସେବୀ ଓ ପୂର୍ବତନ ୱାର୍ଡମେମ୍ବର ବାଳମୁକୁନ୍ଦ ଭୋଇଙ୍କର ୮୫ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଭୋଇ ଜଣେ ଶାନ୍ତ, ସରଳ, ମେଳାପୀ ଓ ଧାର୍ମିକ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ । ୱାର୍ଡମେମ୍ବର ଭାବେ କାର୍ଯ୍ୟକାଳ ସମୟରେ ସେ ଗାଁର ବିକାଶ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ । ଏହା ସହିତ ପୁରେନା ଜଗନ୍ନାଥ ମନ୍ଦିର ପାଇଁ ଏକ ଏକର ଜମି ଦାନ କରି ନିଜର ସମାଜସେବା ଓ ଭକ୍ତିଭାବର ପରିଚୟ ଦେଇଥିଲେ । ମୃତ୍ୟୁ ବେଳେ ସେ ଧର୍ମପତ୍ନୀ, ପୁତ୍ରବଧୂ, ନାତି-ନାତୁଣୀ ସହ ଅନେକ ଆତ୍ମୀୟସ୍ୱଜନଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କ ଶେଷ ଦର୍ଶନ ପାଇଁ ଗାଁ ଓ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ ନାତି ଲକେଶ ଭୋଇ ମୁଖାଗ୍ନି ପ୍ରଦାନ କରିଥିଲେ । ସ୍ୱର୍ଗତ ବାଳମୁକୁନ୍ଦ ଭୋଇଙ୍କ ବିୟୋଗରେ ପୁରେନା ଗାଁ ଜଣେ ଲୋକପ୍ରିୟ ଓ ସମାଜହିତୈଷୀ ବ୍ୟକ୍ତିତ୍ୱଙ୍କୁ ହରାଇଛି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।
