
ଗାଇସିଲାଟ, (କେପିଏନ୍ଏସ୍) : ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ଗ୍ରାମର ଅବସରପ୍ରାପ୍ତ ମୁଖ୍ୟ କିରାଣୀ କଳାକାହ୍ନୁ ନାଗ (୬୮)ଙ୍କ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଗୁରୁତର ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ସରସ୍ୱତୀ, ଦୁଇ ପୁଅ ସତ୍ୟକାମ ଓ ସକାଳେଶ, ଦୁଇ ଝିଅ ସସ୍ମିତା ଓ ଶର୍ମିଲା, ଦୁଇ ବୋହୁ ରାଜଲକ୍ଷ୍ମୀ ଓ ଶ୍ରଦ୍ଧା, ଜ୍ୱାଇଁ ବୈଷ୍ଣବ କୁଦେଇ, ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଗାଁ ପରିକ୍ରମା କରି ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ପରଲୋକ ଖବର ପାଇ ଆତ୍ମୀୟ ସ୍ୱଜନ ଅନ୍ତିମ ଦର୍ଶନ କରି ଶବାଧାରରେ ଯୋଗଦେଇଥିଲେ । ସେ ୧୯୭୮ ମସିହାରୁ କିରାଣୀ ଭାବରେ ଡି. ଆଇ. ଅଫିସ ପଦ୍ମପୁରରୁ ନିଜର ଚାକିରୀ ଆରମ୍ଭ କରି ୨୦୧୮ ମସିହାରେ ଗାଇସିଲେଟ ବିଇଓ ଅଫିସରୁ ମୁଖ୍ୟ କିରାଣୀ ଭାବରେ ଅବସର ଗ୍ରହଣ କରି ୪୧ ବର୍ଷ ନିଷ୍ଠାର ସହିତ ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ସେ ପଂଚାୟତ ଉଚ୍ଚ ବିଦ୍ୟାଳୟ, ଡାଙ୍ଗବାହାଲର ପ୍ରତିଷ୍ଠାତା ସଦସ୍ୟ ଏବଂ ମା’ ଛତରବାଉତି ସାଂସ୍କୃତିକ ପରିଷଦ, ଡାଙ୍ଗବାହାଲର ପ୍ରତିଷ୍ଠାତା ଥିଲେ । ସେ ଗ୍ରାମର ସମସ୍ତ ପ୍ରକାର ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିଲେ । ସେ ଜଣେ ଶାନ୍ତ, ସରଳ, ମେଳାପି ଓ ଧାର୍ମିକ ବ୍ୟକ୍ତି ହୋଇଥିବାରୁ ଡାଙ୍ଗବାହାଲ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ବଡ଼ପୁଅ ସତ୍ୟକାମ ନାଗ ମୁଖାଗ୍ନି ଦେଇଥିଲେ । ଶିବାଜୀ କ୍ଲବ ଡାଙ୍ଗବାହାଲ ଏବଂ ଡାଙ୍ଗବାହାଲ ପଂଚାୟତ ଯାଦବ ସମାଜର କର୍ମକର୍ତ୍ତା ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
