
ତୁଷୁରା, (କେପିଏନ୍ଏସ୍) : ନିଷାନ୍ ସାହିତ୍ୟ ସଂସଦ, ତୁଷୁରାର ସଭାପତି, ଗୁଡଭେଲା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ବାଦ ସାହିତ୍ୟ ଘରର ବରିଷ୍ଠ କବି ରମେଶ ପ୍ରଧାନ ଗତକାଲି ଅପରାହ୍ନ ୩ ଘ. ୨୦ମି ସମୟରେ ନିଜ ଡୁଙ୍ଗୁରିପାଲି ବାସ ଭବନରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଏକାଧାରରେ ଜଣେ କବି, ସମାଜସେବୀ ଓ ରାଜନେତା ଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ । ତାଙ୍କର ଶବାଧାରରେ ଶତାଧିକ ଗ୍ରାମବାସୀ, ଶୁଭେଚ୍ଛୁ, ବନ୍ଧୁବାନ୍ଧବ ସାମିଲ ଥିଲେ । ତାଙ୍କର ଏକମାତ୍ର ପୁତ୍ର ହିନେଶ ପ୍ରଧାନ ଓ ବଡଭାଇ ସମାରୁ ପ୍ରଧାନ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ନିଷାନ୍ର ସଂପାଦକ ତଥା ସମ୍ବାଦ ସାହିତ୍ୟ ଘରର ସଂପାଦକ ଆଶୁକବି ହେମନ୍ତ ଦାଶ, ବିଶିଷ୍ଠ ସାହିତ୍ୟିକ ତୁଳସୀ ଜୈନ, ଗୁଡଭେଲା ସମ୍ବାଦ ସାହିତ୍ୟ ଘରର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନ, ସଂଯୋଜକ ସୁନୀଲ ଜୈନ, ଦେଓଗାଁ ବିଡିଓ ରାମଦତ୍ତ ଭୋଇ, ଗୁଡଭେଲା ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଦେଓଗାଁ ସମ୍ବାଦ ସାହିତ୍ୟ ଘରର ସଭାପତି ଡଃ ସୁଧାଂଶୁ ଭୁଷଣ ମେହେର, ସଇଁନ୍ତଳା ସାହିତ୍ୟ ଘରର ସଂପାଦକ ବରୁଣ ସାହୁ ତଥା ବିଭିନ୍ନ ସାହିତ୍ୟ ସଂଗଠନର ସଭାପତି, ସଂପାଦକ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

