pakka

ଗାଁଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ : ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତନାଚର ଆସର ବି ଜମିଥିଲା । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସ୍‌ଗୁଲ୍‌ ହୋଇଥିଲେ । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହିଥିଲା । ହୋଲି ଖେଳ ପଛରେ ପୌରାଣିକ ତତ୍ୱ ବି ରହିଛି । ସମସ୍ତଙ୍କୁ ଭାବର ରଙ୍ଗରେ ରଙ୍ଗୀନ କରିବାକୁ ବର୍ଷକ ପରେ ଆସିଛି ଭାଇଚାରାର ମହାନ ପର୍ବ ହୋଲି । ଅବିର ମାଧ୍ୟମରେ ଶାନ୍ତି, ପ୍ରୀତି, ମୈତ୍ରି, ସଦଭାବନାର ବାର୍ତ୍ତା ବିଞ୍ଛି ଚାଲିଛି ଏହି ମହାନ ପର୍ବ । ଏ ନେଇ କନ୍ଧମାଳ ଜିଲ୍ଲାର ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଛି ହୋଲି ପର୍ବ । ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ଅଭିବାଦନ ଜଣାଇଛନ୍ତି ଆବାଳ ବୃଦ୍ଧ ବନିତା । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଛନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ଏହି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମ୍‌ଧାମ୍‌ରେ ପାଳିତ ହୋଇଥାଏ । ଏ ନେଇ ଆଜି ପ୍ରତ୍ୟୁଷରୁ ଅଞ୍ଚଳର ସମସ୍ତ ମନ୍ଦିର ସମେତ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ମନ୍ଦିର ପୂଜକ ଓ ଭକ୍ତମାନେ ଭୋର ସକାଳୁ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରୀ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ସମଗ୍ର ନଗର ପରିକ୍ରମା କରାଯାଇଥିଲା । ଏହି ସମୟରେ ସହରବାସୀ ଘରଦୁଆର ମୁହଁରେ ଝୋଟି ପକାଇ କଳସ ସ୍ଥାପନା କରି ଶ୍ରୀ ରାଧାକୃଷ୍ଣଙ୍କୁ ବନ୍ଦାପନା କରିବା ସହ ଅବିର ହୋଲି ଖେଳିଥିଲେ । ଅବିର ରଙ୍ଗରେ ରଙ୍ଗୀନ ହୋଇ ଉଠିଥିଲା ଗାଁ ଦାଣ୍ଡ । ଠାକୁରଙ୍କୁ ଘରେ ଘରେ ବନ୍ଦାପନା କରିବା ସହ ସମସ୍ତେ ଅବିର ଲଗାଇଥିଲେ । ରଙ୍ଗ ଅବିରରେ ରଙ୍ଗାୟିତ ହୋଇ ଉଠିଥିଲା ସମଗ୍ର ସହର । ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ।

jay balangir
Leave A Reply

Your email address will not be published.

five × one =

error: Content is protected !!