
ପଦ୍ମପୁର, (ନିରୋଜ କୁମାର ପାଣୀ) : ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ ଜିଲ୍ଲା ପାଇକମାଳ ବ୍ଲକ୍ ନୃସିଂହନାଥ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରଭୁ ନୃସିଂହନାଥଙ୍କ ଠାରେ ସୋମବାର ପଖାଳ ଭୋଗ ଲାଗି ହେବା ସହ ଭକ୍ତଙ୍କୁ ଅର୍ପଣ କରାଯାଇଛି । ଏହି ପ୍ରାଚୀନ ନୃସିଂହନାଥ ମନ୍ଦିରରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁଙ୍କର ଅନ୍ୟତମ ସ୍ୱରୁପ ମାର୍ଜାରକେଶରୀ । ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ମହାପ୍ରଭୁ ନୃସିଂହନାଥଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହାପ୍ରଭୁ ନୃସିଂହନାଥଙ୍କ ମୁଣ୍ଡରେ ଓଦା କପଡା ଏବଂ ଚନ୍ଦନ ଲେପନ କରାଯାଉଥିବା ସହ ଅପରାହ୍ନରେ ପଖାଳ ଭୋଗ ଅର୍ପଣ କରାଯାଉଛି । ପ୍ରତିବର୍ଷ ଅକ୍ଷୟ ତୃତୀୟା ଠାରୁ ନବମୀ ପର୍ଯ୍ୟନ୍ତ ୭ ଦିନଧରି ନୃସିଂହନାଥ ପୀଠରେ ଏହି ପଖାଳ ଭୋଗ ଲାଗି ହେଉଥିବା ବେଳେ ଏଥିରେ ଦହି ଓ ଟେଭା ପତ୍ର, ଲେମ୍ବୁ ଆଦି ବିଭିନ୍ନ ପ୍ରକାର ବ୍ୟଞ୍ଜନ ମିଶାଯାଇ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତି କରାଯାଇଥାଏ । ଅତ୍ୟଧିକ ଗରମ ଯୋଗୁଁ ମନୁଷ୍ୟ ଯେପରି ବିଭିନ୍ନ ଖାଦ୍ୟ ପାନୀୟ ପରିବର୍ତ୍ତନ କରିଥାଏ ସେହିପରି ବହୁ ପୂର୍ବରୁ ନୃସିଂହନାଥ ପୀଠରେ ବୈଶାଖ ମାସରେ ସାତ ଦିନ ଧରି ପଖାଳ ଭୋଗ ଲାଗି ଆସୁଛି । ଆଜି ଅପରାହ୍ନ ୪ଟାରେ ମହାପ୍ରଭୁ ନୃସିଂହନାଥଙ୍କଠାରେ ଏହି ପଖାଳ ଭୋଗକୁ ମନ୍ଦିର ସେବାୟତମାନେ ପ୍ରସ୍ତୁତ କରିବା ପରେ ମହାପ୍ରଭୁଙ୍କ ଲାଗିବା ପରେ ଭକ୍ତମାନଙ୍କୁ ଦିଆଯାଇଥାଏ । ପଖାଳ ଭୋଗ ପାଇଁ ମନ୍ଦିର ତରଫରୁ ମାଟି ନିର୍ମିତ ପାତ୍ରରେ ଭକ୍ତମାନଙ୍କୁ ବିନା ମୂଲ୍ୟରେ ଅର୍ପଣ କରାଯାଇଥାଏ । ତେବେ ଏହି ପଖାଳ ଭୋଗ କେବଳ ନୃସିଂହନାଥ ପୀଠରେ ଲାଗୁଥିବା ବେଳେ ଶହଶ୍ରାଧିକ ଭକ୍ତମାନେ ଏଠାକୁ ଆସି ପଖାଳ ଭୋଗ ସେବନ କରିଥାନ୍ତି । ମନ୍ଦିର ସେବାୟତ ସତ୍ୟ ପୁରୋହିତ, ଆଜାଦ ମାଝି, ମଧୁସୂଦନ ତ୍ରିପାଠୀ, ଶ୍ରୀରାମ ପୁରୋହିତ, ମହେଶ୍ୱର ପାଣିଗ୍ରାହୀ, ସିଦ୍ଧାର୍ଥ ପୁରୋହିତ, ମନମିତ ପୁରୋହିତ, ଶୁଭମ ପୂଝାରୀ, ଶୋଭିତ ପଣ୍ତା, ପ୍ରଫୁଲ ପଣ୍ତା, ମହେଶ ପୁରୋହିତ, ପ୍ରମୁଖ ପଖାଳ ଭୋଗ ବଣ୍ଟନରେ ସହଯୋଗ କରିଥିଲେ ।