
- ସ୍ୱତନ୍ତ୍ର ବର୍ଗରେ ଦିଆଯିବ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫
- ଜଳବାୟୁ ପ୍ରଶମନ ପଦକ୍ଷେପ ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ପ୍ରୟାସ ପାଇଁ ପ୍ରଥମ ଥର ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରିବ ପଞ୍ଚାୟତିରାଜ ମନ୍ତ୍ରଣାଳୟ
- ଆତ୍ମନିଭର ପଞ୍ଚାୟତ ବର୍ଗରେ ଦ୍ୱିତୀୟ ପୁରସ୍କାର ପାଇବ ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଗ୍ରାମପଞ୍ଚାୟତ
- ଦ୍ୱିତୀୟ ସ୍ଥାନରେ ରହି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବ ଓଡ଼ିଶା ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ
ନୂଆଦିଲ୍ଲୀ, (ପିଆଇବି) : ଆସନ୍ତାକାଲି ଅର୍ଥାତ୍ ୨୪ ଏପ୍ରିଲରେ ବିହାର ମଧୁବନି ଜିଲ୍ଲାର ଲୋହନା ଉତ୍ତର ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସ୍ୱତନ୍ତ୍ର ବର୍ଗରେ ଜାତୀୟ ପଞ୍ଚାୟତିରାଜ ପୁରସ୍କାର ୨୦୨୫ ପ୍ରଦାନ କରାଯିବ । ପ୍ରଥମ ଥର ପଞ୍ଚାୟତଗୁଡ଼ିକୁ ଜଳବାୟୁ ପ୍ରଶମନ ପଦକ୍ଷେପ ଏବଂ ନିଜସ୍ୱ ରାଜସ୍ୱ ଉତ୍ସ ଜରିଆରେ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ପ୍ରୟାସ ନିମନ୍ତେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପୁରସ୍କୃତ କରିବ । ଏହାବ୍ୟତୀତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ (ଏଲ୍ଏସ୍ଡିଜି) ସହିତ ଯୋଡ଼ି ହୋଇ ରହିଥିବା ପଞ୍ଚାୟତଗୁଡ଼ିକର କ୍ଷମତା ନିର୍ମାଣ ପାଇଁ ଶ୍ରେଷ୍ଠ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶା ଏଥର ଦୁଇଟି ବର୍ଗରେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଗ୍ରାମପଞ୍ଚାୟତ ଆତ୍ମନିଭର ପଞ୍ଚାୟତ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହେବାକୁ ଯାଉଛି । ସେହିପରି ଓଡ଼ିଶା ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବାକୁ ମନୋନିତ ହୋଇଛି । ସୂଚନାଯୋଗ୍ୟ, ଜଳବାୟୁ ଉତ୍ତରଦାୟୀ ସ୍ଥାନୀୟ ପ୍ରଶାସନ ଭାବେ କାର୍ଯ୍ୟ କରୁଥିବା ପଞ୍ଚାୟତଗୁଡ଼ିକୁ ଉତ୍ସାହିତ କରିବା ଲାଗି ଏଥର ‘ଜଳବାୟୁ କାର୍ଯ୍ୟାନୁଷ୍ଠାନ ସ୍ୱତନ୍ତ୍ର ପଞ୍ଚାୟତ ପୁରସ୍କାର’ (କାସପା) ପ୍ରଦାନ କରାଯିବ । ସେହିପରି ପଞ୍ଚାୟତଗୁଡ଼ିକ ଦ୍ୱାରା ନିଜସ୍ୱ ଉତ୍ସ ରାଜସ୍ୱ ବୃଦ୍ଧି ମାଧ୍ୟମରେ ଆତ୍ମନିର୍ଭରଶୀଳତାର ପ୍ରୋତ୍ସାହନ ଲାଗି ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର ଦିଆଯିବ । ଏହି ଦୁଇଟି ବର୍ଗ ବ୍ୟତୀତ କ୍ଷମତା ନିର୍ମାଣ ଏବଂ ପଞ୍ଚାୟତିରାଜ ପ୍ରତିନିଧି ଏବଂ କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣରେ ଉତ୍କର୍ଷତାକୁ ସ୍ୱୀକୃତି ଦେବା ନିମନ୍ତେ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ଦିଆଯିବ । ୨୦୨୩ରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏହି ପୁରସ୍କାରକୁ ସଂସ୍ଥାଗତ ରୂପ ଦେଇଥିଲା ବେଳେ ୨୦୨୪ ପ୍ରଥମ ଥର ପୁରସ୍କାର ଦିଆଯାଇଥିଲା ।