
- ଦଳଗତ ଜୁନିଅର ବାଳକ ବିଭାଗରେ ଉତ୍ତରାଖଣ୍ଡ ଚାମ୍ପିୟନ, ଓଡିଶା ହେଲା ରନର୍ସ ଅପ୍
- ଜୁନିଅର ବାଳିକାରେ ଉତ୍ତରାଖଣ୍ଡ ଚାମ୍ପିୟନ, ପଶ୍ଚିମବଙ୍ଗ ରନର୍ସ ଅପ୍
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର ଷ୍ଟାଡ଼ିୟମରେ ୟୋନେକ୍ସ-ସାନରାଇଜ ଇଷ୍ଟ ଜୋନ ଆନ୍ତଃ ରାଜ୍ୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନ୍ସିପ୍ର ଆଜି ସମସ୍ତ ଦଳଗତ ବିଭାଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ପ୍ରଥମ ଦଳଗତ ଫାଇନାଲରେ ଉତ୍ତରରାଖଣ୍ଡ ଜୁନିଅର ଦଳ ଓଡିଶା ଜୁନିଅର ଦଳକୁ ୨-୦ ମ୍ୟାଚରେ ହରାଇ ଚମ୍ପିୟାନ ହୋଇଛନ୍ତି । ଓଡିଶା ଖେଳାଳୀ ସୌମ୍ୟଜିତ ସାହୁ ଉତ୍ତରାଖଣ୍ଡର ନିଶ୍ଚଳ ଚାନ୍ଦଙ୍କ ଠାରୁ ୭-୧୫, ୭-୧୫ ପଏଣ୍ଟରେ ଏବଂ ଡବଲସରେ ଦିବ୍ୟମ କେଜ୍ରିୱାଲ ଓ ଶୁଭ୍ରକେତନ ମଲ୍ଲିକ ଉତ୍ତରାଖଣ୍ଡର ସୌର୍ଯ୍ୟ ଅଗ୍ରୱାଲ ଓ ନିସଚଲ ଚାନ୍ଦ ଯୋଡିଙ୍କ ଠାରୁ ୧୧-୧୫, ୧୪-୧୬ ପଏଣ୍ଟରେ ହାରି ଯାଇଥିବାରୁ ଓଡିଶା ଦଳ ଏହି ବିଭାଗରେ ରନର୍ସ ଅପ୍ ହୋଇ ସନ୍ତୁଷ୍ଟ ହୋଇଛି । ଜୁନିଅର ବାଳିକା ଦଳଗତ ବିଭାଗର ସିଙ୍ଗଲସ ଖେଳରେ ଉତ୍ତରାଖଣ୍ଡର ଆକ୍ଷିତା ମନରଲ ପଶ୍ଚିମବଙ୍ଗର ପ୍ରତିଷ୍ଠା ପଲଙ୍କୁ ୧୫-୯, ୧୫-୬ ପଏଣ୍ଟରେ ଏବଂ ଡବଲସରେ ଉତ୍ତରାଖଣ୍ଡ ଯୋଡି ଆଞ୍ଜେଲ ପୁନେରା ଓ ସମ୍ଭାବୀ ରାଉଥମ, ପଶ୍ଚିମବଙ୍ଗର ପର୍ଣ୍ଣା ଦତ୍ତ ଓ ଅନ୍ୱିକ୍ଷା ପାଲ ଯୋଡିଙ୍କୁ ୧୫-୬, ୧୫-୫ ପଏଣ୍ଟରେ ହରାଇ ଉତ୍ତରାଖଣ୍ଡକୁ ଚାମ୍ପିୟନ କରାଇଛନ୍ତି । ପୁରୁଷ ଦଳଗତ ଓ ମହିଳା ଦଳଗତ ବିଭାଗରେ ମଧ୍ୟ ଉତ୍ତରାଖଣ୍ଡ ଦଳ ଚମ୍ପିୟାନ ହୋଇ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛନ୍ତି । ପୁରୁଷ ଡବଲସରେ ସିଦ୍ଧାର୍ଥ ଘିଲଦୀୟଲ ଓ ରାନୁଜ ମେହେରା ଯୋଡି ବିହାରର ଅମ୍ରିତ ରାଜ ଓ ଆର୍ଯ୍ୟନ ରାଜଙ୍କୁ ୧୫-୧୩, ୧୦-୧୫ ଓ ୧୫-୭ ପଏଣ୍ଟରେ ହରାଇ ବିଜୟୀ ହୋଇଛନ୍ତି । ପୁରୁଷ ସିଙ୍ଗଲରେ ଉତ୍ତରାଖଣ୍ଡର ଧ୍ରୁବ ନେଗୀ ବିହାରର ରଣବୀର ସିଂଙ୍କୁ ୧୫-୪, ୧୫-୩ରେ ଏବଂ ପରବତ୍ର୍ତ୍ତୀ ସିଙ୍ଗଲରେ ଅଂଶ ନେଗୀ ବିହାରର ସାକ୍ଷମ ବତ୍ସାଙ୍କୁ ୧୫-୧୧, ୧୫-୯ ପଏଣ୍ଟରେ ହରାଇ ଥିବାରୁ ଉତ୍ତରାଖଣ୍ଡ ଏହି ଫାଇନାଲରେ ୩-୦ ମ୍ୟାଚରେ ଜିତି ଚମ୍ପିୟାନ ଓ ବିହାର ଦଳ ରନର୍ସ ଅପ ହୋଇଛନ୍ତି । ମହିଳା ଦଳଗତ ଫାଇନାଲରେ ମଧ୍ୟ ଉତ୍ତରାଖଣ୍ଡ ଦଳ ଉତ୍ତର ପ୍ରଦେଶକୁ ୩-୧ ମ୍ୟାଚରେ ହରାଇ ଚମ୍ପିୟାନ ହୋଇଥିବା ବେଳେ ଉତ୍ତରପ୍ରଦେଶ ଦଳ ରନର୍ସ ଅପ୍ ହୋଇଛି । ଦଳଗତ ବିଭାଗର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ସାମ୍ମାନିତ ଅତିଥି ଭାବେ ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂ, କ୍ରୀଡା ବିଭାଗର ଯୁଗ୍ମ ସଚିବ ଗୀତା ଦାସ, ଅନ୍ତର୍ଜାତୀୟ କୋଚ୍ ଗୋବର୍ଦ୍ଧନ ରେଡ୍ଡି, ମୁଖ୍ୟ ରେଫରୀ ଇ. ପି. ଦିବାକରଣ ଓସବା ଉପସଭାପତି କାତ୍ର୍ତ୍ତିକ ଦାସ, ସୁରେଶ ଚନ୍ଦ୍ର ପଣ୍ଡା, ଓସବା ସମ୍ପାଦକ ନିଲିନ କୁମାର, ଶୈଳେନ୍ଦ୍ର ଚୌଧୁରୀ, ମନରଞ୍ଜନ ପଣ୍ଡା, ସୁରୁଲାଲ ମଟାରୀ ପ୍ରମୁଖ ଯୋଗ ଦେଇ ଚାମ୍ପିୟନ ଓ ରନର୍ସ ଅପ୍ ଦଳକୁ ଟ୍ରଫି, ସ୍ଵର୍ଣ୍ଣ, ରୌପ୍ୟ ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । ୪ ତାରିଖ ଅପରାହ୍ନରୁ ଏହି ଚାମ୍ପିୟନସିପ୍ର ବ୍ୟକ୍ତିଗତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ଏବଂ ୬ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଙ୍ଘ ସମ୍ପାଦକ ତଥା ଆୟୋଜନ କମିଟି ସମ୍ପାଦକ ନିଳୀନ କୁମାର ସୂଚନା ଦେଇଛନ୍ତି ।