
ସଇଁତଲା, (ଖୁସିରାଣୀ ସାହୁ) : ଗାଧୋଇବାକୁ ଯାଇ ପୋଖରୀରୁ ନିଖୋଜ ହୋଇଗଲେ ଜଣେ ବ୍ୟକ୍ତି । ଘଟଣାକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ, ସଇଁତଲା ଥାନା ବଡ଼ମାଲ ଫାଣ୍ଡି ଅଧୀନ ଧରପଗଡ଼ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ଗଣନାଥ ଛତ୍ରିଆ । ତେବେ ଗାଧୋଇବା ସମୟରେ ସେ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର ପାଇ ସଇଁତଲା ପୋଲିସ ଓ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଖରୀରେ ଗଣନାଥଙ୍କୁ ଖୋଜିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପୋଖରୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିଛି । ତେବେ ଗଣନାଥ ଜୀବିତ ଅଛନ୍ତି କି ତାଙ୍କ ସହ କୌଣସି ଅଘଟଣ ଘଟିଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ସହ ଘଟଣାର ତଦନ୍ତ ଜାରି ରଖିଛି ।