
ରାଉରକେଲା, (ସସ୍ମିତା ପ୍ରଧାନ) : ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲରେ ରାଉରକେଲା ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ମାସିକ ସାହିତ୍ୟ ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମାସିକ ସାହିତ୍ୟ ଆସରରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ବିଜୟ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଚିତ୍ରାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଦେବେନ୍ଦ୍ର କୁମାର ବଳ ଓ ସୁମନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ । ଡ. ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ ବିଷୟ ବସ୍ତୁ ଉପରେ ବିଭିନ୍ନ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଫେସର. ସୁବାସ ଚନ୍ଦ୍ର ଲେଙ୍କା ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ସାହୁ କହିଥିଲେ ଯେ, ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଜ୍ଞାନ ଓ ବିଚକ୍ଷଣ ଧୀମତାର ଶୀର୍ଷାରୋହଣ କରିଥିବା ତଥା ପ୍ରଥମ ବାରିଷ୍ଟର ଓ ବହୁ କ୍ଷେତ୍ରରେ ଓଡ଼ିଶାରେ ପ୍ରଥମ ବ୍ୟକ୍ତି ଥିଲେ । ମଧୁସୂଦନଙ୍କ ଜୀବନ କାଳ ହିଁ ଓଡିଶାର ଅର୍ଦ୍ଧ ଶତାବ୍ଦୀର ଇତିହାସ ଓଡ଼ିଶାର ଧର୍ମ, ସଂସ୍କୃତି, ପରମ୍ପରା, ଐତିହ୍ୟ ,ସାହିତ୍ୟ, ରାଜନୀତି ଓ ଅର୍ଥନୀତିକୁ ସେ ବହୁବାର ପରିପୃଷ୍ଠ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ସାହୁ ନିଜ ବକ୍ତବ୍ୟରେ ମଧୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ସୁମନ୍ତ କୁମାର ପଣ୍ଡା, ସମାଜସେବୀ ଅନୀଲ କୁମାର ଦାଶ ଓ ଦେବେନ୍ଦ୍ର କୁମାର ବଳ ନିଜ ନିଜର ବକ୍ତବ୍ୟରେ ମଧୁବାବୁଙ୍କ ସ୍ମୃତି ଚାରଣ କରି କହିଲେ କି, ମଧୁବାବୁ ଥିଲେ ଅସାମାନ୍ୟ ପ୍ରତିଭାର ଅଧିକାରୀ । ଦ୍ୱିତୀୟ ପର୍ଯ୍ୟାୟରେ କବି ବଳରାମ ଦାଶଙ୍କ ଅଧ୍ୟକ୍ଷତାରେ ୩୦ ଜଣ କବିଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ କବି ଅଜୟ କୁମାର ପାଣି, କବି ତାରିଣୀ ଚରଣ ସାହୁ ପ୍ରମୁଖ ଯୋଗଦେଇଥଲା ବେଳେ, କବି ଉର୍ବଶୀ ଦାଶ ପତି, କନକଲତା ଜେନା ଓ ସୁଶ୍ରୀ ସଂଗୀତା ଦାଶ ପ୍ରମୁଖ ସଂଯୋଜନା କରିଥିଲେ । ଅଂଶୁପା ଦଳେଇ, ପ୍ରଶାନ୍ତ ନାୟକ, ବିପିନ ବିହାରୀ ପଟ୍ଟନାୟକ, ବ୍ରହ୍ମାନଂଦ ପାଢୀ, ସୁନିଲ କୁମାର ମହାନ୍ତି, କୁଞ୍ଜ ବିହାରୀ ରାଉତ, ଜ୍ଞାନପ୍ରଭାର ସମ୍ପାଦକ ପ୍ରଣତି ଲେଙ୍କା, ବିନୋଦ ମହାକୁଡ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ କବି ଅନିଲ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଡ. ଉମାକାନ୍ତ ପଣ୍ଡାଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଡ. ଶକ୍ତିପ୍ରସାଦ ସାମନ୍ତରାୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ତରଫରୁ ଶୀତଳ ଜଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।