ଏକାକୀ ଆସ, ପୋଲିସର ପାଉଣା ଦିଅ : ବିଧବା ମହିଳା‌ଙ୍କୁ କହିଲେ ନୁଆପଡା ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୨ ବର୍ଷର ଜଣେ ଦଳିତ ବିଧବା ମହିଳା‌ଙ୍କୁ ନୁଆପଡାର ଜଣେ ପୋଲିସ ସବ୍ ଇନିସପେକ୍ଟର ଏକାକୀ ଆସ ଓ ପୋଲିସର ପାଉଣା ଦେଇ ତୁମ ମୋଟର ସାଇକେଲ ନିଅ ବୋଲି କହିବା ଉକ୍ତିକୁ ନେଇ ପରିବାର ଲୋକେ ନୂଆପଡା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ବିବରଣୀ ପ୍ରକାଶ ଯେ, ଜଣେ ୨୪ ବର୍ଷର ଦଳିତ ଯୁବକ ରାଜେଶ ଦୀପ ଏକ ଘରୋଇ କାମରେ ନୁଆପଡା ଯାଇଥିବା ବେଳେ ନୁଆପଡାରୁ ଫେରିବା ବାଟରେ ବିଜୁ ଏକ୍ସପ୍ରେସ ୱେ ରେଲୱେ ଲାଇନ୍ ପାଖରେ ମୋଟର ସାଇକେଲରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ସହ ଘଟଣା ସ୍ଥଳରେ ହିଁ ରାଜେଶ ଦୀପଙ୍କ ଦେହାନ୍ତ ହୋଇ ଯାଇଥିଲା । ପୋଲିସ ଖବର ପାଇ ଶବ ବ୍ୟବଛେଦ କରିବା ସହ ମୋଟର ସାଇକେଲକୁ ଜବତ କରି ଥାନାକୁ ନେଇ ଯାଇଥିଲେ । ଗତ ଅଗ‌ଷ୍ଟ ୧ ତାରିଖ ଦିନ ଏହି ଘଟଣା ଘଟିଥିବା ବେଳେ ନୁଆ ମୋଟର ସାଇକେଲ ନଂ – ଓଡ଼ି ୨୬ ସି ୭୦୭୨ ଥାନାରୁ ଫେରି ପାଇବା ପାଇଁ ରାଜେଶଙ୍କ ବିଧବା ସ୍ତ୍ରୀ ଉର୍ମିଳା ଦୀପ ଏବଂ ତାଙ୍କ ପରିବାର ଲୋକେ ଅନେକ ଥର ନୁଆପଡା ଥାନାକୁ ଧାଁ ଧଉଡ଼ କରିଥିଲେ । ଏହି କେସର ଦାୟିତ୍ୱ ନେଇଥିବା ନୁଆପଡା ଥାନାର ପୋଲିସ ସବ୍ ଇନିସପେକ୍ଟର ଜିତୁ ମହାନନ୍ଦ ମୋଟର ସାଇକେଲ ଦେବା ବଦଳରେ ପରିବାରକୁ ବିଭିନ୍ନ ଆଳ ଦେଖାଉ ଥିଲେ । ପୋଲିସ ମୁତାବକ ଡେଥ୍ ସାର୍ଟିଫିକେଟ ଓ ଗାଡିର ସମସ୍ତ କାଗଜ ପତ୍ର ଥାନାରେ ଜମା ଦେଇଥିବା ସତ୍ତ୍ବେ ବାରମ୍ବାର ଥାନାକୁ ଦୌଡି ନିରାଶ ହେବା ପରେ ଗତ ତା ୧୯ ତାରିଖ ଦିନ ତାଙ୍କ ପରିବାର ଲୋକେ ଓ ପଶ୍ଚିମ ଓଡିଶା ଦଳିତ ଅଧିକାର ମଞ୍ଚ ପାଇକମାଲ ବ୍ଲକ ସଭାପତି ଲଳିତ ଜଗତ ନୁଆପଡା ଥାନାକୁ ଯାଇଥିଲେ । ପୋଲିସ ଅଧିକାରୀ ଶ୍ରୀ ମହାନନ୍ଦ ଏ ସମସ୍ତଙ୍କୁ ଦେଖି ବିରକ୍ତି ହେବା ସହ ଗାଳିଗୁଲଜ କରି ସମସ୍ତଙ୍କୁ ବାହାର କରିଦେଇ ରାଜେଶଙ୍କ ସ୍ତ୍ରୀ ଉର୍ମିଳା ଦୀପଙ୍କୁ ଧମକ ଚମକ ଦେବା ସହ ତୁରନ୍ତ ଥାନାକୁ ଏକାକୀ ଆସିବୁ, ପୋଲିସର ପାଉଣା ଦେବୁ ଓ ଗାଡି ନେଇକି ଯିବୁ ବୋଲି କହିଲେ । ଏହି ଘଟଣା ଯୋଗୁଁ ପରିବାର ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନୁଆପଡା ପୋଲିସର ଏଭଳି ବ୍ୟବହାରରେ ଅତିଷ୍ଟ ହୋଇ ପରିବାର ଲୋକେ ଓ ଉର୍ମିଳା ଦୀପ ଗତ ୨୧ ତାରିଖ ଦିନ ନୁଆପଡା ଏସପିଙ୍କ କାର୍ୟ୍ୟାଳୟକୁ ଯାଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏକାକୀ ଆସ, ପୋଲିସର ପାଉଣା ଦିଅ… ଏହା କଣ ପ୍ରକୃତରେ ମା’କୁ ସମ୍ମାନ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚର୍ଚ୍ଚା ଚାଲିଛି । ନୁଆପଡା ଏସପି ସଂପୃକ୍ତ ଅଧିକାରୀ ବିରୁଦ୍ଧରେ କି ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସ୍ବର୍ଗତ ରାଜେଶ ଦୀପ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଭରୁଆମୁଣ୍ତା ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି ଓ ଶ୍ରୀମତୀ ଉର୍ମିଳା ଦୀପ ମାତ୍ର ୨୨ବର୍ଷ ବୟସରେ ବିଧବା ହୋଇ ଯାଇଛନ୍ତି ।

Leave A Reply

Your email address will not be published.