ବଲାଙ୍ଗିର ଜିଲ୍ଳାରେ କରୋନା ସମ୍ପର୍କିତ ସତର୍କତା ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶନାମା

ବଲାଙ୍ଗିିର, (କେପିଏନ୍‌ଏସ୍‌) : କେତେକ ରାଜ୍ୟରେ ନୁତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ଜିଳ୍ଳା ପ୍ରଶାସନ ପକ୍ଷରୁ କରୋନା ସତର୍କତା ନିର୍ଦ୍ଦେଶନାମା ଜାରି କରାଯାଇଛି । ସଂକ୍ରମଣ ଆଶଂକାକୁ ଦୃଷ୍ଠିରେ ରଖି ଜିଲ୍ଳାର ସମସ୍ତ ବ୍ଳକ୍‌ ଓ ପୌରାଚଂଳ ଅଧୀନସ୍ଥ ଅଂଚଳ ଗୁଡିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ବାଧ୍ୟତାମୂଳକ ମାକ୍ସ ପରିଧାନ, ସାମାଜିକ ଦୂରତା ଅବଲମ୍ବନ, ସାନିଟାଇଜର୍‌ କିମ୍ବା ସାବୁନରେ ହାତ ଧୋଇବା ଭଲି କୋଭିଡ୍‌ -୧୯ ସତର୍କତା ପ୍ରଟୋକଲ ସମ୍ପର୍କରେ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଯେପରି ଠିକ୍‌ ଭାବେ ପାଳନ କରାଯିବ, ତାକୁ ସୁନିଶ୍ଚିତ କରିବାକୁ ସମସ୍ତ ତହସିଲଦାର, ବିଡିଓ, ମ୍ୟୁନିସିପାଲଟି ଓ ଏନ୍‌.ଏ.ସି.ର ନିର୍ବାହି ଅଧୀକାରୀ ଓ ଥାନା ଅଧିକାରୀ ମାନଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକର ପର୍ୟ୍ୟାପ୍ତ ସାନିଟାଇଜେସନ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ମାକ୍ସ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ ସ୍କାନିଂ, ସାନିଟାଇଜରରେ ହାତ ସଫା କରିବା ସହ କୋଭିଡ-୧୯ ସତର୍କତା ପ୍ରଟୋକଳ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷ ମାନେ କୋଭିଡ-୧୯ ସତର୍କତା ପ୍ରଟୋକଲ ପାଳନକୁ ସୁନିଶ୍ଚିତ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ଓ ଅନୁଷ୍ଠାନ ଗୁଡିକରେ କୋଭିଡ -୧୯ ସତର୍କତା ପ୍ରଟୋକଲକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନଗହଳିକୁ ବାରଣ କରାଯିବା ସହ ଅନୁମତି ପାଇଥିବା ବାହାଘର, ସାମାଜିକ କାର୍ୟ୍ୟକ୍ରମରେ କୋଭିଡ-୧୯ ସତର୍କତା ପ୍ରଟୋକଲକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଏହାକୁ ତଦାରଖ କରିବାକୁ ତହସିଲଦାର, ବିଡିଓ, ଥାନା ଅଧିକାରୀ ଓ ମ୍ୟୁନସିପାଲଟି, ଏନ୍‌.ଏ.ସି.ର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଗ୍ରାହକ ମାନଙ୍କ କିଣାବିକା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ସୁନିଶ୍ଚିତ କରିବା ସହ ହୋଟେଲ, ରେସ୍ତୋରାଁ ଓ ଢାବା ଗୁଡିକରେ ସାମାଜିକ ଦୂରତା ଓ କୋଭିଡ-୧୯ ସତର୍କତା ପ୍ରଟୋକଲ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଖିଲାପ କଲେ ସପୃକ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବିରୁଦ୍ଧରେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଳାରେ କୋଭିଡ-୧୯ ସତର୍କତା ପ୍ରଟୋକଲର ପାଳନ ସର୍ମ୍ପକରେ ତଦାରଖ କରିବାକୁ ଜିଲ୍ଳାର ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । କରୋନା ଲକ୍ଷଣ ଅନୁଭବ କଲେ ନିକଟସ୍ଥ ସ୍ୱାସ୍ଥ କେନ୍ଦ୍ରକୁ ଯାଇ କୋଭିଡ ଟେଷ୍ଟ କରିବାକୁ ଜନସାଧାରଣଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । କୌଣସି ବ୍ୟକ୍ତି କୋଭିଡ-୧୯ ନିର୍ଦ୍ଦେଶନାମା ସତର୍କତା ପ୍ରଟୋଏଲର ଖିଲାପ କଲେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.