ଖାଉଟି, ସମବାୟ ଓ ହସ୍ତତନ୍ତର ବିଭାଗୀୟ ଷ୍ଟାଣ୍ଡିଂ କମିଟି ବୈଠକ : ଲୋକେ ଯେମିତି ଭୋକିଲା ନରହିବେ, ସେଥିପ୍ରତି ବିଭାଗ ଧ୍ୟାନ ଦେଉ – ନରସିଂହ

  • ସ୍ୱତନ୍ତ୍ର ଅଡିଟ ରିପୋର୍ଟ ଉପରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ସମସ୍ତ ଜିଲ୍ଲାରୁ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ରାସନ ଯୋଗାଇବାରେ ଅଧିକାରୀମାନେ ବିଫଳ ଅଛନ୍ତି ବୋଲି ବାରମ୍ବାର ଅଭିଯୋଗ ଆସୁଛି । ଅନେକ ଗରିବ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହେଉଛନ୍ତି । ସର୍ଭେ ହେଉ କି ତାଲିକା ପ୍ରସ୍ତୁତ ହେଉ କୌଣସି ନା କୌଣସି ଜାଗାରେ ପ୍ରିୟାପ୍ରୀତି ତୋଷଣ ଯୋଗୁଁ ଗରିବ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି । ଆମେ ଜାଣିବା ଦରକାର ଯେ, ଜୀବନ ଜିଇଁବାର ମଣିଷର ମୌଳିକ ଅଧିକାର । ଅଧିକାରୀମାନଙ୍କର ଅପାରଗତା ଯୋଗୁଁ ସେମାନେ ଏଥିରୁ ବଂଚିତ ହେବା ଉଚିତ ନୁହେଁ । ତେଣୁ ପଲ୍ଲୀରୁ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ଅଧିକାରୀମାନେ ମଧ୍ୟ ଏ ଦିଗରେ ଗରିବ ଲୋକ ଯେମିତି ସେ ଉପରେ ଧ୍ୟାନ କେନ୍ଦ୍ରୀତ କରନ୍ତୁ ବୋଲି ଆଜି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ବିଭାଗୀୟ ଷ୍ଟାଣ୍ଡିଂ କମିଟି ୬ର ବୈଠକରେ ଏହାର ଅଧ୍ୟକ୍ଷ ନରସିଂହ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

କମିଟି ଅନ୍ତର୍ଗତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ବିଭାଗର ବିଭିନ୍ନ ସମସ୍ୟା ଉପରେ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଷ୍ଟାଣ୍ଡିଂ କମିଟିର ଅନ୍ତର୍ଭୁକ୍ତ ବିଧାୟକ ବଦ୍ରିନାରାୟଣ ପାତ୍ର, ଅରବିନ୍ଦ ଢାଲି, ସତ୍ୟନାରାୟଣ ପଧାନ, ମନୋହର ରନ୍ଧାରି, ମଞ୍ଜୁଲତା ସ୍ୱାଇଁ, ପ୍ରଦୀପ କୁମାର ଦେଶାଇ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ତଥା ପ୍ରସ୍ତାବ ଦେଇଥିଲେ । ଧାନକିଣା ପାଇଁ ରେଜିଷ୍ଟେସନ ସମୟରେ ଅନେକ ଅବ୍ୟବସ୍ଥା ଥିବାରୁ ବିଧାନସଭାର ବିଭାଗୀୟ କମିଟି କ୍ଷେତ୍ର ପରିଦର୍ଶନ କଲେ ଏ ସମସ୍ୟାର ପ୍ରକୃତ ତଥ୍ୟ ମିଳିପାରିବ ବୋଲି ବିଧାୟକ ଅରବିନ୍ଦ ଢାଲି ପ୍ରସ୍ତାବ ଦେଇଥିଲେ । ଏହା ସହ ସମବାୟ ବ୍ୟାଙ୍କରୁ ଦିଆଯାଉଥିବା ଚାଷୀ ଋଣର ପାସବୁକ୍‌ କାହିଁକି ସମ୍ପାଦକ ତଥା ଅଧିକାରୀମାନଙ୍କ ପାଖରେ ରହୁଛି ସେ ଉପରେ ସଭ୍ୟ ପ୍ରଶ୍ନ କରିଥିଲେ । ଏହା ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବାରୁ ଏହା ଉପରେ ଏକ ଶକ୍ତ ନିର୍ଦ୍ଦେଶନାମା ପ୍ରଦାନ କରିବାକୁ କମିଟିର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ବିଧାୟକ । ପଞ୍ଜିକୃତ ଚାଷୀ, ଟୋକନ ସଂଖ୍ୟା ଏବଂ ପଞ୍ଜିକୃତ ହେବା ସତ୍ୱେ ଧାନ ବିକିପାରିନ ଥିବା ଚାଷୀ ସଂଖ୍ୟାକୁ ନେଇ ବିଭାଗ ତରଫରୁ ମିଥ୍ୟ ତଥ୍ୟ ପ୍ରଦାନ କରାଯାଉଛି ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ତେଣୁ ଏହା ଉପରେ ୭ଦିନ ଭିତରେ ଏକ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ କମିଟିକୁ ନିର୍ଦ୍ଦେଶ ଦେଇଥିଲେ । ଟୋକନ ସମସ୍ୟା ସମାଧାନ ପାଇଁ ଗତ ବୈଠକମାନଙ୍କରେ ଟୋକନ ପ୍ରଦାନ ରାଜ୍ୟସ୍ତରରୁ ନ କରି ଜିଲ୍ଲା ସ୍ତରରୁ କରାଯିବାକୁ ପ୍ରସ୍ତାବ ଯାଇଥିଲା କିନ୍ତୁ ଏହା ଉପରେ କଣ କାର୍ୟ୍ୟକ୍ରମ ନିଆଯାଇଛି ସେ ଉପରେ ବିଭାଗୀୟ ଅଧିକାରୀମାନେ କୌଣସି ଉତ୍ତର ରଖିପାରିନଥିଲେ । ରେଜିଷ୍ଟ୍ରେସନ କରିଥିବା ସୱେ ମଧ୍ୟ ଚାଷୀମାନେ ଧାନ ବିକି ନ ପାରିବା ଉଦାହରଣ ଦେଇ ଶ୍ରୀ ମିଶ୍ର କହିଥିଲେ ବଲାଙ୍ଗିରରେ ୪୭ଜଣ ଚାଷୀଙ୍କ ବିଭାଗୀୟ ଅନୁସନ୍ଧାନ ପରେ ଧାନ କିଣା ପାଇଁ ଚୁଡାନ୍ତ ହୋଇଥିଲା । କିନ୍ତୁ ସେ ୪୭ରୁ ମାତ୍ର ୭ଜଣ ଚାଷୀଙ୍କ ଧାନ ବିକ୍ରି ହୋଇପାରିଥିଲା । ତାହା ପୁଣି ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ୨୦୦ଟଙ୍କା କମ୍‌ ଦାମ୍‌ରେ । ତେଣୁ ଏହା ଉପରେ ବିଭାଗୀୟ ଅଧିକାରୀ ତଥା ମିଲ୍‌ମାଲିକଙ୍କ ବିରୁଦ୍ଧରେ ୭ ଦିନ ଭିତରେ ଏକ ଅନୁସନ୍ଧାନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅଧ୍ୟକ୍ଷ । ଠିକ୍‌ ସେହିପରି ବଲାଙ୍ଗିର ୱାର୍ଡ ନଂ.୩ରେ ରାସନ ଏବଂ କିରୋସିନି ପ୍ରଦାନରେ ଘୋଟାଲାର ସ୍ପଷ୍ଟ ପ୍ରମାଣ ଥାଇ ମଧ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଅନୁସନ୍ଧାନ ସମୟରେ କ୍ଲିନ୍‌ ଚିଟ ଦେଇଥିବାରୁ ଏହା ଉପରେ ଆଉ ଏକ ନିରପେକ୍ଷ ଅନୁସନ୍ଧାନ ପାଇଁ ସୁପାରିଶ କରାଯାଇଥିଲା । ଆନନ୍ଦପୁର ସମବାୟ ବ୍ୟାଙ୍କ ଏବଂ ବଲାଙ୍ଗିର ସମବାୟ ବ୍ୟାଙ୍କର ସ୍ୱତନ୍ତ୍ର ଅଡିଟରେ ଅନେକ ଆର୍ଥିକ ଅନିୟମିତତା ପ୍ରମାଣ ଦର୍ଶାଯାଇଥିଲେ ମଧ୍ୟ ଏହା ବିରୁଦ୍ଧରେ ଫୈାଜଦାରୀ ମକଦ୍ଦମା ସହ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇନାହିଁ ତାହା ଉପରେ ଉତ୍ତର ରଖିବାକୁ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ଆର୍ଥିକ ଅନିୟମିତତାର ଅନୁସନ୍ଧାନ ରାଜ୍ୟ ଭିଜିଲାନ୍ସ ବିଭାଗକୁ ଦିଆଯିବାର ବ୍ୟବସ୍ଥା କରିବା ଏବଂ ଏହି ବିଷୟକୁ ବିଧାନସଭା ସଚିବ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଶୀଘ୍ର ଅବଗତ କରାଇବା ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଧନ୍ୟବାଦ ଦେଇ ବୈଠକ ଶେଷ ଘୋଷଣା କରିଥିଲେ ।

Leave A Reply

Your email address will not be published.

two × two =