ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମର ମତ୍ସ୍ୟଜୀବୀ ନବିନ ବେହେରା(୪୨)ଙ୍କ ମୃତଦେହ ଖୋଖରକୁଦା ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମି ଆୟର୍ଲ୍ୟାଣ୍ଡ ନିକଟରୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ମତ୍ସ୍ୟଜୀବୀ ନବିନ ଶନିବାର ସନ୍ଧ୍ୟା ସମୟରେ ନିଜ ଡଙ୍ଗାରେ ମାଛ ମାରିବାକୁ ଋଷିକୂଲ୍ୟା ନଦୀକୁ ଯାଇଥିବା ବେଳେ ସକାଳେ ସେ ଆଉ ଘରକୁ ଫେରିନଥିଲେ । ଯାହାକୁ ନେଇ ପରିବାର ବର୍ଗ ଗ୍ରାମବାସୀଙ୍କ ସହଯୋଗରେ ଋଷିକୂଲ୍ୟା ନଦୀ କୂଳରେ ଖୋଜାଖୋଜି କରିବା ପରେ ପୋତାଗଡ଼ ନିକଟ ନଦୀ କୂଳରେ ତାଙ୍କର ଡ଼ଙ୍ଗା ଟିକୁ ଠାବ କରିଥିଲେ । ମତ୍ସ୍ୟଜୀବୀଙ୍କ ପତ୍ନୀ ତାଙ୍କ ସ୍ୱାମୀ ମାଛ ମାରିବାକୁ ଯାଇ ନିଖୋଜ ଥିବା ଦେଇ ସ୍ଥାନୀୟ ପୋଲିସକୁ ଅବଗତ କରିଥିଲେ । କିଛି ସମୟ ପରେ ତାଙ୍କର ମୃତ ଦେହ ଆୟର୍ଲ୍ୟାଣ୍ଡ ନିକଟରେ ପଡିଥିବା ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଶବ ନିକଟରେ ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରି ଏକ ଅପମୃତ ମାମଲା ରୁଜୁ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇବା ବ୍ୟବସ୍ଥା କରିଥିବା ଜଣାପଡିଛି ।