
- ୨୦୨୬-୨୭ ଋତୁ ପାଇଁ ଆଖୁ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍ ପିଛା ୩୬୫ ଟଙ୍କାରେ କିଣା ଯିବ ଆଖୁ
- ଏହି ନିଷ୍ପତ୍ତି ଦ୍ୱାରା ୫ କୋଟି ଆଖୁ ଚାଷୀ ଏବଂ ଚିନିକଳ ଓ ଆନୁସଙ୍ଗିକ କ୍ଷେତ୍ରରେ କାମ କରୁଥିବା ୫ ଲକ୍ଷରୁ ଅଧିକ ଶ୍ରମିକ ହେବେ ଲାଭାନ୍ୱିତ
ନୂଆଦିଲ୍ଲୀ, (ପିଆଇବି) : ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଆଖୁର ଉଚିତ୍ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି । ୨୦୨୬-୨୭ ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁ କ୍ୱିଣ୍ଟାଲ ପିଛା ୩୬୫ ଟଙ୍କାରେ କିଣାଯିବାକୁ ନିଷ୍ପତ୍ତି ହୋଇଛି । ଏହି ଦର ୧୦.୨୫% ମୂଳ ଅସୁଲି ଦର ଉପରେ ଆଧାରିତ । ଏହା ଅଧୀନରେ ୧୦.୨୫% ଠାରୁ ଅଧିକ ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ବୃଦ୍ଧି ଲାଗି କ୍ୱିଣ୍ଟାଲ ପିଛା ୩.୬୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ । ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ହ୍ରାସ ଲାଗି ଏଫଆରପିରେ କ୍ୱିଣ୍ଟାଲ ପିଛା ୩.୫୬ ଟଙ୍କା କାଟି ଦିଆଯିବ । ଯେଉଁ ଚିନି କଳରେ ଅସୁଲି ହାର ୯.୫%ରୁ କମ ଅଛି ସେଠାରେ କୌଣସି ପ୍ରକାର କାଟ୍ କରାଯିବ ନାହିିଁ । ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଚାଷୀମାନେ ଆଗାମୀ ଚିନି ଋତୁ ୨୦୨୬-୨୭ରେ ଆଖୁ ପାଇଁ କ୍ୱିଣ୍ଟାଲ ପିଛା ୩୩୮.୩ ଟଙ୍କା ପାଇବେ । ୨୦୨୬-୨୭ ଚିନି ଋତୁ ପାଇଁ ଆଖୁର ଉତ୍ପାଦନ ଖର୍ଚ୍ଚ (ଏଟୁ +ଏଫଏଲ) କ୍ୱିଣ୍ଟାଲ ପିଛା ୧୮୨ ଟଙ୍କା ରହିଛି । ୧୦.୨୫% ଅସୁଲି ହାରରେ ଏହି ଏଫଆରପି କ୍ୱିଣ୍ଟାଲ ପିଛା ୩୬୫ ଟଙ୍କା ଧାର୍ଯ୍ୟ ହୋଇଥିବାରୁ ଏହା ଉତ୍ପାଦନ ଖର୍ଚ୍ଚ ତୁଳନାରେ ୧୦୦.୫% ଅଧିକ । ୨୦୨୬-୨୭ ଚିନି ଋତୁ ପାଇଁ ଏଫଆରପି ଚଳିତ ଚିନି ଋତୁ ୨୦୨୫-୨୬ ତୁଳନାରେ ୨.୮୧% ଅଧିକ । ଅନୁମୋଦିତ ଏଫଆରପି ଚିନି କଳଗୁଡ଼ିକ ଦ୍ୱାରା ଚିନି ଋତୁ ୨୦୨୬-୨୭ (୧ଅକ୍ଟୋବର, ୨୦୨୬ରୁ ଆରମ୍ଭ) ରେ ଚାଷୀଙ୍କଠାରୁ ଆଖୁ କ୍ରୟ ପାଇଁ ପ୍ରଯୁଜ୍ୟ ହେବ । ଚିନି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ କୃଷିଭିତ୍ତିକ କ୍ଷେତ୍ର । ଏହା ଉପରେ ପ୍ରାୟ ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାରବର୍ଗ ସହିତ ଚିନିକଳରେ କାର୍ଯ୍ୟରତ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରମିକ ନିର୍ଭରଶୀଳ । ଏହା ବ୍ୟତୀତ କୃଷି ଶ୍ରମ ଓ ପରିବହନ ସମେତ ଆନୁସଙ୍ଗିକ କାର୍ଯ୍ୟକଳାପରେ ବହୁଲୋକଙ୍କ ଜୀବିକା ମଧ୍ୟ ଏହି କ୍ଷେତ୍ର ସହ ଜଡ଼ିତ ।
ପୃଷ୍ଠଭୂମି
ସୂଚନାଯୋଗ୍ୟ, କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ତଥା ଅନ୍ୟ ଅଂଶୀଦାରମାନଙ୍କ ସହିତ ପରାମର୍ଶ ପରେ ଏଫଆରପି ନିର୍ଦ୍ଧାରଣ କରାଯାଇଛି ।
ପୂର୍ବ ଚିନି ଋତୁ ୨୦୨୪-୨୫ରେ, ୧,୦୨,୬୮୭ କୋଟି ଟଙ୍କା ଆଖୁ ବକେୟା ମଧ୍ୟରୁ ୨୦ ଏପ୍ରିଲ ୨୦୨୬ ସୁଦ୍ଧା ଚାଷୀମାନଙ୍କୁ ପ୍ରାୟ ୧,୦୨,୨୦୯ କୋଟି ଟଙ୍କା ଆଖୁ ବକେୟା ପରିଶୋଧ କରାଯାଇଛି । ସେହିପରି, ପ୍ରାୟ ୯୯.୫% ଆଖୁ ବକେୟା ପରିଶୋଧ କରାଯାଇଛି । ଚଳିତ ଚିନି ଋତୁ ୨୦୨୫-୨୬ରେ, ୧,୧୨,୭୪୦ କୋଟି ଟଙ୍କା ଆଖୁ ବକେୟା ମଧ୍ୟରୁ ୨୦ ଏପ୍ରିଲ ୨୦୨୬ ସୁଦ୍ଧାଚାଷୀମାନଙ୍କୁ ପ୍ରାୟ ୯୯,୯୬୧ କୋଟି ଟଙ୍କା ଆଖୁ ବକେୟା ପରିଶୋଧ କରାଯାଇଛି; ଏହିପରି, ପ୍ରାୟ ୮୮.୬% ଆଖୁ ବକେୟା ପରିଶୋଧ କରାଯାଇଛି ।