
- ବନ୍ଧୁକ ଦେଖାଇ ଧମକ, ଟଙ୍କା ଓ ଦସ୍ତାବିଜ ଛଡ଼ାଇ ନେଇଥିବା ଅଭିଯୋଗ
ବରଗଡ଼, (ନିରୋଜ କୁମାର ପାଣୀ) : ଟେଣ୍ଡର କାମ ପ୍ରତ୍ୟାହାର କରିବାକୁ ଧମକ ଦେଇ ଜଣେ ଯୁବକଙ୍କୁ ଅପହରଣ, ମାଡ଼ ମାରିବା ଓ ବନ୍ଧୁକ ଦେଖାଇ ଭୟଭୀତ କରାଯାଇଥିବା ନେଇ ବିଜେପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ହେଲେ ପୁଟୁକା ଗ୍ରାମର ରାଜକୁମାର ମେହେର (୨୮) । ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖ ଅପରାହ୍ନ ପ୍ରାୟ ୧ଟା ୩୦ରେ ରାଜକୁମାର ଟେଣ୍ଡର ସମ୍ପର୍କିତ ସମସ୍ତ କାଗଜପତ୍ର ଧରି ବିଜେପୁର ଏନ୍ଏସି କାର୍ଯ୍ୟାଳୟକୁ ଯାଉଥିଲେ । ଏହି ସମୟରେ ମହେଶ ଦେବତା, ନରସିଂହ ଓରଫ ପପୁ ପୂଜାରୀ, କୌଶିକ ପାଣିଗ୍ରାହୀଙ୍କ ସମେତ ପ୍ରାୟ ୨୦ରୁ ୩୦ ଜଣ ଲୋକ ଏକ ଥାର୍ ଗାଡ଼ିରେ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ସରଣ୍ଡାପାଲି ନିକଟ ଏକ ନିଛାଟିଆ ସ୍ଥାନକୁ ନେଇଥିବା ଅଭିଯୋଗ ହୋଇଛି । ସେଠାରେ ବନ୍ଧୁକ ଦେଖାଇ ଟେଣ୍ଡର କାମରୁ ଓହରିଯିବା ପାଇଁ ଧମକ ଦିଆଯିବା ସହ ତାଙ୍କ ପାଖରେ ଥିବା ୧୦ ହଜାର ୩ଶହ ଟଙ୍କା, ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ନେଇଯାଇଥିବା ରାଜକୁମାର ଅଭିଯୋଗ କରିଛନ୍ତି । ଏପରିକି ଏକ ଖାଲି କାଗଜରେ ତାଙ୍କ ଦସ୍ତଖତ ନେଇ ତାଙ୍କୁ ମାଡ଼ ମାରିବା ସହ ଜାତିଆଣ ଗାଳିଗୁଲଜ କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ପୁଣି ତାଙ୍କ ଓ ତାଙ୍କ ପିଲାମାନଙ୍କୁ ହତ୍ୟା କରିବାର ଧମକ ଦେଇ ଟେଣ୍ଡର ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ରହିଛି । ପରେ ସେହିଦିନ ପ୍ରାୟ ୩ଟା ୩୦ରେ ତାଙ୍କୁ ବିଜେପୁର ଏନ୍ଏସି କାର୍ଯ୍ୟାଳୟକୁ ଆଣି କୌଶିକ ପାଣିଗ୍ରାହୀଙ୍କ ନାମରେ ଟେଣ୍ଡରରୁ ଓହରିବା ସମ୍ପର୍କିତ ଲିଖିତ ଦସ୍ତାବିଜରେ ଦସ୍ତଖତ କରାଇଥିବା ଅଭିଯୋଗ ହୋଇଛି । ଏହା ସହ ତାଙ୍କ ହାତରେ ଜୋରଜବରଦସ୍ତ ବନ୍ଧୁକ ଧରାଇ ଫଟୋ ଉଠାଇବା ଏବଂ ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦିଆଯାଇଥିବା ସେ ପୁଲିସକୁ କହିଛନ୍ତି । ଭୟ କାରଣରୁ ଅଭିଯୋଗ କରିବାରେ ବିଳମ୍ବ ହୋଇଥିବା ରାଜକୁମାର ପ୍ରକାଶ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ବିଜେପୁର ଥାନା ପୁଲିସ କେସ୍ ନମ୍ବର ୨୪୭, ତାରିଖ ୦୩.୦୯.୨୦୨୬ରେ ବିଏନ୍ଏସ୍ର ବିଭିନ୍ନ ଧାରା, ଆର୍ମସ୍ ଆକ୍ଟ ଏବଂ ଏସ୍ସି/ଏସ୍ଟି ଅତ୍ୟାଚାର ନିବାରଣ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଉପରୋକ୍ତ ଅଭିଯୋଗଗୁଡ଼ିକର ସତ୍ୟତା ପୁଲିସ ତଦନ୍ତ ପରେ ଅଧିକ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।