
ସୁନ୍ଦରଗଡ, (କେପିଏନ୍ଏସ୍) : ହେମଗିରି ବ୍ଲକର ସମ୍ମିଳନୀ କକ୍ଷଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସୁନ୍ଦରଗଡର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ହେମଗିରି ବ୍ଲକର ସିଡିପିଓ ମିନାକ୍ଷୀ ପଟ୍ଟନାୟକ ଶିଶୁ ମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଜରୁରୀ କାଳୀନ ଭିତ୍ତିରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରୁ ଶତକଡା ୫ ପ୍ରତିଶତ ସହ ଅର୍ଥକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ କାମନା କରିଥିଲେ । ଏହି ଅବସରରେ ଜିପିଡିଓ ଅମିତ୍ କୁମାର ମିଶ୍ର କହିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରୁ ଶତକଡା ୫ ପ୍ରତିଶତ ସହ ଅର୍ଥକୁ ସୁନିଶ୍ଚିତ କରିବା ପାଇଁ ପ୍ରକାଶ କରିଥିଲେ ଏବଂ ତତ୍ ସହିତ ବାଲ୍ୟ ବିବାହ ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବୋର୍ଡ ଲଗାଇବା ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍, ଶିଶୁ ଶ୍ରମିକ ନିରୋଧ ଆଇନ, ପି ସି ପି ଏନ୍ ଡି ଟି ଆଇନ୍ ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ଆକାଶ କୁମାର ପାତ୍ର ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଞ୍ଚ ଓ ଇଓ ମାନଙ୍କର ଭୂମିକା, ଦାୟିତ୍ଵ ଉପରେ ଜଣାଇଥିଲେ । ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ଅନ୍ ଟାଏଡ ପାଣ୍ଠିର ୫ % ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଟି ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ । ୱାନ ଷ୍ଟପ ସେଣ୍ଟରର ରୋଷଣୀ ଏକ୍କା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଆକାଶ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମକୁ ଶେଷ କରିଥିଲେ ।