jayashree

ହଜିଯାଇଛି ମହୁଲି ମଦର ବାସ୍ନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମଦମୃତ୍ୟୁକୁ ରୋକିବା ସହିତ ବିଷାକ୍ତ ମଦ ପ୍ରସ୍ତୁତିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଅବକାରୀ ଆଇନରେ ସଂଶୋଧନ ଆଣି କେତେକ ବଳିଷ୍ଠ ତଥା କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତଥାପି ଗାଁ ଗହଳିରେ ଚୋରା ଦେଶୀ ରନ୍ଧାମଦର ପ୍ରସାରକୁ ଅବକାରୀ ବିଭାଗ ରୋକିବାରେ ସଫଳ ହୋଇପାରି ନାହିଁ । ଲୋଇସିଂହା ଅବକାରୀ ଥାନା ଅଧୀନ ପ୍ରତି ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ଥଳିରେ ଦେଶୀମଦ ବିକ୍ରି ହେଉଛି । ସରକାରୀ ଦେଶୀ ମଦଭାଟିରେ ମିଳୁଥିବା ପାଉଚ୍ ମଦ ଅପେକ୍ଷା ଏହି ମଦ ଅପେକ୍ଷାକୃତ ଶସ୍ତା ଓ ଅଧିକ ନିଶା ହେଉଥିବାରୁ ଲୋକେ ଏହାକୁ ଆଦରି ନେଉଛନ୍ତି । ଫଳସ୍ୱରୁପ ଅନେକ ନିରୀହ ଜୀବନ ଅକାଳରେ ଝଡି ଯିବା ସହିତ ଗୁଡ଼ାଏ ପରିବାର ବେସାହାରା ହୋଇଯାଉଥିବା ଦେଖିବାକୁ ମିଳୁଛି । ଅଧିକ ମୁନାଫା ହାତେଇବା ଲକ୍ଷ୍ୟରେ ଲୋଇସିଂହା ସମେତ କେତେକ ସରକାରୀ ଦେଶୀ ମଦଭାଟିରେ ମଧ୍ୟ ଏଭଳି ଖୋଲା ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଆଉ ଏଭଳି ଚୋରା କାରବାରରେ ଉପଲବ୍ଧ ହେଉଥିବା ଦେଶୀ ମହୁଲି ମଦରେ ଅସଲି ବାସ୍ନା ଆଉ ନାହିଁ ବୋଲି ଜଣାପଡିଛି । ମହୁଲର ଅଭାବ ଓ ଚଢ଼ା ଦର ଯୋଗୁଁ ମଦ ପ୍ରସ୍ତୁତକାରୀମାନେ ବର୍ତ୍ତମାନ ଗୁଡ଼, ଚିନି ତଥା ବିଭିନ୍ନ ରାସାୟନିକ ପଦାର୍ଥ ଦ୍ଵାରା ମଦ ପ୍ରସ୍ତୁତ କରି ବିକ୍ରୟ କରୁଛନ୍ତି । ଏହା ଅବକାରୀ ତଥା ପୋଲିସ ବିଭାଗର ଜ୍ଞାତସାରରେ ଚାଲିଥିବା ଅଭିଯୋଗ ହେଉଛି । ମଦଭାଟି ଗୁଡ଼ିକ ନିକଟରେ ଆଉ ମହୁଲ ପୋଚ ଦେଖିବାକୁ ମିଳୁନାହିଁ । ଅଥଚ ଦିନକୁ ହଜାର ହଜାର ଲିଟର ମଦ ପ୍ରସ୍ତୁତ ହୋଇ ବିକ୍ରି ଚାଲିଛି । ଅବକାରୀ ଧାର୍ୟ୍ୟ ନୀତି ଅନୁସାରେ ଜଣେ ଭାଟି ଠିକାଦାର ତାଙ୍କ ମଦଭାଟି ଅଧୀନରେ ଦୁଇରୁ ଅଧିକ ଶାଖା ଖୋଲି ମଦ ବିକ୍ରି କରିବାର କ୍ଷମତା ଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଗୋଟିଏ ଗ୍ରାମରେ ଦୁଇ ବା ତତୋଧିକ ମଦ କୋଠୀ ଖୋଲି ବେନିୟମ ଭାବେ ଅବାଧରେ ମଦ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଏପରିକି ପ୍ରାୟ ପ୍ରତି ଗ୍ରାମରେ କେତେକ ଚୋରାମଦ ବେପାରୀ ନିଜ ନିଜ ଘର ତଥା ସୁରକ୍ଷିତ ସ୍ଥାନମାନଙ୍କରେ ହାତରନ୍ଧା ମଦ ପ୍ରସ୍ତୁତ କରି ସର୍ବସାଧାରଣଙ୍କ ଜ୍ଞାତସାରରେ ବିକ୍ରୟ କରୁଛନ୍ତି । ଏଭଳି ଅପମିଶ୍ରିତ ତଥା ବିଷାକ୍ତ ମଦ୍ୟପାନ ଯୋଗୁଁ ୧୭ ବର୍ଷ ତଳେ ଲୋଇସିଂହା ଅବକାରୀ ଥାନା ତଥା ଆଗଲପୁର ବ୍ଲକର ଗଣ୍ଡପାଲି ଗ୍ରାମରେ ୭ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା, ଯାହା ସମଗ୍ର ରାଜ୍ୟରେ ସେତେବେଳେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏଭଳି ଅପମିଶ୍ରିତ ତଥା ଚୋରା ଦେଶୀ ରନ୍ଧା ମଦର କାରବାରକୁ କର୍ତ୍ତୃପକ୍ଷ ବନ୍ଦ ନ କଲେ ଆଗକୁ ପୁଣି ଗଣ୍ଡପାଲି ମଦମୃତ୍ୟୁ ଭଳି ଅଭାବନୀୟ ଘଟଣାର ପୁନରାବୃତ୍ତି ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.