
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରାକୁ ଦକ୍ଷିଣ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛତ୍ରପୁର ଷ୍ଟାଡିୟମରେ ସୋମବାର ସନ୍ଧ୍ୟାରେ ୫ଦିନିଆ ଛତ୍ରପୁର ମହୋତ୍ସବ ଆରମ୍ଭ ହୋଇଯାଇଛି । ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନଗହଳି ସାଙ୍ଗକୁ ଆଲୋକ ତୋରଣରେ ସୁସଜ୍ଜିତ ସହରକୁ ଅଧିକ ଆକର୍ଷଣୀୟ କରିଛି । ଏହି ଅବସରରେ ଛତ୍ରପୁରର କଳା, ସଂସ୍କୃତି ଓ ପରମ୍ପରାର ଗାରିମାମୟ ଐତିହ୍ୟକୁ ଉଜ୍ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ପ୍ରୟାସରେ ଏହି ମହତ୍ତ୍ୱ ବହନ କରିଛି । ଛତ୍ରପୁରର କଳା, ସଂସ୍କୃତି ଓ ପରମ୍ପରାର ଗାରିମାମୟ ଐତିହ୍ୟକୁ ଉଜ୍ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ବିଭିନ୍ନ ବିଭାଗ ସମନ୍ଵୟରେ ଆୟୋଜିତ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା, ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଓ ସୁଭଦ୍ରା ଶକ୍ତି ମେଳାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ଜେନା ଉଦ୍ଘାଟନ କରିଥିଲେ । ସ୍ୱତନ୍ତ୍ର ଆକର୍ଷଣରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ଅନୁରାଗ ଦାଶଙ୍କ ଗୀତର ଯାଦୁରେ ଦର୍ଶକ ବିମୋହିତ ହୋଇଥିଲେ । ଚଳିତ ବର୍ଷ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଆସିଥିବା ଲକ୍ଷାଧିକ ଦର୍ଶକ ଏହି ସମସ୍ତ ଯାତ୍ରାର ଉପଭୋଗ କରିଥିଲେ । ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ବିବିତା ପାତ୍ର, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।