jayashree

୭ ଦଫା ଦାବି ନେଇ କଣ୍ଟାବାଞ୍ଜି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବିଦ୍ୟୁତ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ମଙ୍ଗଳବାର ଯୁବ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଦ୍ୟୁତ୍‌ ବିତରଣ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି ଅବସରରେ ସେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ରରେ ବହୁ ବର୍ଷର ପୁରୁଣା ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ ପ୍ରକ୍ରିୟା ବନ୍ଦ କରିବା, ଉପଭୋକ୍ତାଙ୍କ ଭୁଲ୍‌ ନଥିଲେ ମଧ୍ୟ ଆଦାୟ ହେଉଥିବା ଜରିମାନା ପ୍ରଥାକୁ ରଦ୍ଦ କରିବା, ସ୍ମାର୍ଟ ମିଟର ସ୍ଥାପନ ପରେ ବୃଦ୍ଧି ପାଉଥିବା ବିଦ୍ୟୁତ୍‌ ବିଲ୍‌ ନେଇ ତଦନ୍ତ କରିବା, ପୁରୁଣା ବକେୟା ବିଲ୍‌ ଆଳରେ ନୂତନ ବିଦ୍ୟୁତ ସଂଯୋଗ ପ୍ରଦାନରେ ବାଧା ନ ସୃଷ୍ଟି କରିବା, ବାରମ୍ବାର ବିଦ୍ୟୁତ୍‌ କାଟ ସମସ୍ୟାର ସ୍ଥାୟୀ ସମାଧାନ, ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ପ୍ରତିମାସ ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଏବଂ ଚାଷୀମାନଙ୍କ କୃଷି କାର୍ଯ୍ୟ ପାଇଁ ବ୍ୟବହୃତ ବିଦ୍ୟୁତ୍‌କୁ ସମ୍ପୂର୍ଣ୍ଣ ମାଗଣା କରିବା ଭଳି ଦାବି ଉଲ୍ଲେଖ ରହିଛି । ଅଜିତ କୁମାର ଯୋଶୀ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଅଞ୍ଚଳର ଉପଭୋକ୍ତାମାନେ ବିଦ୍ୟୁତ୍‌ ସେବା ସମ୍ପର୍କିତ ବିଭିନ୍ନ ସମସ୍ୟାରେ ଜର୍ଜରିତ ହୋଇ ଆସୁଛନ୍ତି । ସରକାର ଓ ବିଦ୍ୟୁତ୍‌ ବିଭାଗ ଶୀଘ୍ର ଏହି ସମସ୍ୟାଗୁଡ଼ିକର ସମାଧାନ ନ କଲେ ଆଗାମୀ ଦିନରେ ବୃହତ୍ତର ଆନ୍ଦୋଳନ ଗଢ଼ି ଉଠିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ଘେରାଉ କାର୍ଯ୍ୟକ୍ରମରେ ଯୁବ ବିଜେଡିର ବହୁ କର୍ମୀ ଓ ସ୍ଥାନୀୟ ବିଦ୍ୟୁତ ଉପଭୋକ୍ତା ଉପସ୍ଥିତ ଥିଲେ । ବିଭାଗ ପକ୍ଷରୁ ଦାବିଗୁଡ଼ିକୁ ବିଚାର କରାଯିବ ବୋଲି ଆଶ୍ୱାସନ ମିଳିଥିବା ଜଣାପଡ଼ିଛି ।

Leave A Reply

Your email address will not be published.