ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଦୀର୍ଘ ୯ ଦିନ ମାଉସୀ ମା’ ଘର ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ପୁଣି ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାବାହୁ। ବାହୁଡ଼ା ଯାତ୍ରା ଅବସରରେ ମୁନିଗୁଡ଼ା ଓ ଅମ୍ବାଦଳା ସହରରେ ଭକ୍ତିର ସୁଅ ଛୁଟିଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ଦୁଲୁକିଛି ଦୁଇ ସହର। ଏଠାରେ ମଧ୍ୟ ସମସ୍ତ ନୀତି ନିୟମ ସାରି ସକାଳୁ ମାଉସୀ ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ଅବକାଶ ନୀତି ଓ ଖେଚୁଡି ଭୋଗ ପରେ ତିନି ଠାକୁରଙ୍କୁ ଧାଡି ପହଣ୍ଡିରେ ରଥ ଉପରକୁ ବିଜେ କରାଯାଇଥିଲା । ଠିକ୍ ଅପରାହ୍ନ ସମୟରେ ଆବାଳ ବୃଦ୍ଧ ବନିତା ଭକ୍ତମାନେ ରଥ ଦଉଡି ଟାଣି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ନିଜ ଘରକୁ ବାହୁଡାଇ ଆଣିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ମୁନିଗୁଡ଼ା ଥାନା ଅଧିକାରୀ କେଶବ ଚନ୍ଦ୍ର ଷଡ଼ଙ୍ଗୀ ଓ ଅମ୍ବାଦଳା ଥାନା ଅଧିକାରୀ ସୂର୍ଯ୍ୟ ଚନ୍ଦ୍ର ପାଢୀ ପୁଲିସ ବାହିନୀ ମୁତୟନ କରିଥିଲେ ।
