ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ସହ ୯ ଲକ୍ଷ ଜବତ

ଭଦ୍ରକ : ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ସହ ୯ ଲକ୍ଷ ଜବତ ହୋଇଥିବା ଜଣାପଡିଛି । ଭଦ୍ରକ ସହରର ଅପର୍ତିବିନ୍ଧା ଛକ ନିକଟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଗତ ୯ ତାରିଖରେ ଜଣେ ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଭଦ୍ରକ ଟାଉନ ପୋଲିସ ଗିରଫ କରିଛି । ସେ ହେଲେ ଗଞ୍ଜାମ ଜିଲା ଆସିକା ଥାନା ମରାଠୀବାସା ପକାଳପଲ୍ଲୀର ଏମ୍‌.ଶ୍ରୀକାନ୍ତ । ତାଙ୍କୁ ଗିରଫ କରି ଭଦ୍ରକ ଆଣିବା ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ତାଙ୍କ ନିକଟରୁ ଜବତ ହୋଇଥିବା ୯ ଲକ୍ଷ ଟଙ୍କା ଉକ୍ତ ଶିକ୍ଷକଙ୍କୁ ପ୍ରଦାନ କରାଯାଇଛି । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ଆଗରପଡ଼ା କୃଷ୍ଣଚନ୍ଦ୍ର ବିଦ୍ୟାମନ୍ଦିର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ଉକ୍ତ ବ୍ୟାଙ୍କରୁ ୧୨ଲକ୍ଷ ଟଙ୍କା ଉଠାଇଥିଲେ । ସେ ବାଇକ୍‌ରେ ବସିଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇ ପଳାଇଥିଲେ । ଏନେଇ ଅଶୋକଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ମାମଲା(ନଂ. ୨୧୮/୨୨) ରୁଜୁ ହୋଇଥିଲା । ଟାଉନ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପୂର୍ବରୁ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା ।

Leave A Reply

Your email address will not be published.