pakka

ପ୍ରବାସୀ ଶ୍ରମିକମାନଙ୍କର ପିଲାମାନଙ୍କ ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ ଦାଦନପ୍ରବଣ ଜିଲ୍ଲାମାନଙ୍କୁ ନେଇ ଏକ ଆଂଚଳିକ କର୍ମଶାଳା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ ଅବସରରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ପ୍ରବାସୀ ଶ୍ରମିକମାନଙ୍କର ପିଲାମାନଙ୍କ ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ ଦାଦନପ୍ରବଣ ଜିଲ୍ଲାମାନଙ୍କୁ ନେଇ ଏକ ଆଂଚଳିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାକୁ ଉଦଘାଟନ କରି ଓଡିଶା ସରକାରଙ୍କ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ଅନେକ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ହେଲ୍ପଡେସ୍କ, ସେମାନଙ୍କ ପିଲାମାନଙ୍କ ଶିକ୍ଷା ଏବଂ ଯତ୍ନ, ଉଦ୍ଧାର ଓ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାର ବ୍ୟବସ୍ଥା କରାଯାଇଛି ।

ଏତଏଟ ଆକ୍ସନର ନିର୍ଦେଶକ ଉମି ଡାନିଏଲ ନିଜର ମତ ରଖି କହିଲେ କି, ବର୍ତମାନ ମହିଳା ଏବଂ ଶିଶୁ ବିକାଶ ବିଭାଗ, ୟୁନିସେଫ ଏବଂ ଏଡ଼ଏଟ ଆକ୍ସନ ସହଯୋଗରେ ନୂଆପଡା, ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାରେ ଦାଦନ ଶ୍ରମିକ ପିଲାମାନଙ୍କର ଟ୍ରାକିଂ ଏବଂ ଅନ୍ୟାନ୍ୟ ସରକାରୀ ସାମାଜିକ ସୁରକ୍ଷା କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତି କରିବା ନିମନ୍ତେ ଏକ ପାଇଲଟ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କର ଅସହାୟତା ଆକଳନ କରାଯିବା ସହିତ ଏହାର ସମାଧାନ ନିମନ୍ତେ ଗ୍ରାମସ୍ତରୀୟ ଯୋଜନା ପ୍ରସ୍ତୁତ କରାଯାଉଛି । ଏହାଫଳରେ ଆମେ ଆଶା କରୁଛୁ ଯେ ପ୍ରବାସୀ ଶିଶୁମାନଙ୍କ ସମସ୍ୟାର ସମାଧାନ ହେବା ସହିତ ଶିଶୁଶ୍ରମିକ, ଶିଶୁଚାଲାଣ, ବାଲ୍ୟ ବିବାହ ଆଦି ସମସ୍ୟାର ନିରାକରଣ ହୋଇପାରିବ ।

ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା କହିଥିଲେ ଯେ ଜିଲ୍ଲା ପ୍ରଶାସନ ଅଭାବରେ ପଡି ଯାଉଥିବା ଦାଦନ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରୁଛନ୍ତି । ୟୁନିସେଫର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ କହିଲେ ଯେ ୟୁନିସେଫ ବିଭିନ୍ନ ସମୟରେ ଓଡିଶା ସରକାରଙ୍କୁ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି । ଅଙ୍ଗନୱାଡି ମାଧ୍ୟମରେ କରାଯାଉଥିବା ଆଦ୍ବିକା କାର୍ୟ୍ୟକ୍ରମରେ କିଶୋର ଓ କିଶୋରୀମାନଙ୍କୁ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦିଆଯିବା ସହିତ ସେମାନଙ୍କୁ ବାଲ୍ୟ ବିବାହ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଆଦି ସମସ୍ୟାଗୁଡିକ ଉପରେ ମଧ୍ୟ ସଚେତନ କରାଯାଉଛି ।

ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଥିଲେ ଆୟୋଗ ତରଫରୁ ଅନେକ ସମୟରେ ଅନେକ କର୍ମଶାଳା ସଚେତନତା କାର୍ୟ୍ୟକ୍ରମ ସମୀକ୍ଷା ଏବଂ ଯୋଜନାମାନ ପ୍ରସ୍ତୁତ କରାଯାଇ ସରକାରଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦେଉଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଦାଦନ ପରିବାରର ମହିଳାମାନେ କିପରି ଭଲରେ ପ୍ରବାସରେ ଯାଇ ଭଲରେ ଫେରିବେ ତାହା ଉପରେ ଏକ ପୋଷ୍ଟର ଉନ୍ମୋଚନ କରିଥିଲେ ।

ଏହି କର୍ମଶାଳାରେ ବଲାଙ୍ଗିର, ବୌଧ, ସୋନପୁର, ବରଗଡ, ନୂଆପଡା ଏବଂ କଳାହାଣ୍ଡି ଜ଼ିଲ୍ଲାର ବିଭିନ୍ନ ଅଧିକାରୀ ଯୋଗ ଦେଇ ନିଜର ମତାମତ ରଖିଥିଲେ । ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟ ଶାସ୍ୱତୀ ଅତିଥିମାନଙ୍କର ପରିଚୟ ଦେବା ସହିତ ସଭା ପରିଚାଳନା କରିଥିଲେ । ଆଜିର କର୍ମଶାଳାରୁ ବାହାରିଥିବା ବିଭିନ୍ନ ମତାମତ ଓଡିଶା ସରକାରଂକୁ ପ୍ରବାସୀ ଶ୍ରମିକ ପରିବାର ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ଦିଶା ନିର୍ଦେଶ ଦେବ ।

jay balangir
Leave A Reply

Your email address will not be published.

6 − 2 =