ଭାରତର ବଡ଼ କୂଟନୈତିକ ବିଜୟ : ସ୍ୱଦେଶ ଫେରିଲେ କତରରେ ବନ୍ଦୀ ପୂର୍ବତନ ନୌସେନା କର୍ମଚାରୀ

ନୂଆଦିଲ୍ଲୀ, (ପିଆଇବି) : କତର ଜେଲ୍‌ରୁ ମୁକୁଳିବା ପରେ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହା ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ । ପୂର୍ବରୁ ମୋଦୀ ସରକାରଙ୍କ କୂଟନୈତିକ ପ୍ରୟାସ କାରଣରୁ ପୂର୍ବତନ ନୌସୈନିକମାନଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାବାସକୁ କମାଇ ଦିଆଯାଇଥିଲା । ବର୍ତ୍ତମାନ ସେମାନେ ଜେଲରୁ ମୁକୁଳିବା ସହିତ ନିରାପଦ ଭାବେ ଭାରତ ଫେରିଛନ୍ତି । ଅଗଷ୍ଟ ୨୦୨୨ରେ କ୍ୟାପ୍‌ଟେନ୍ ନଭ୍ତେଜ୍ ସିଂ ଗିଲ୍, କ୍ୟାପ୍‌ଟେନ୍ ସୌରଭ ବଶିଷ୍ଠ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କ୍ୟାପ୍‌ଟେନ୍ ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁଣକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ ଓ ନାବିକ ରାଗେଶଙ୍କୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେମାନେ କତର ଜେଲ୍‌ରେ ଥିଲେ । ୨୬ ଅକ୍ଟୋବର ୨୦୨୩ରେ କତର ଅଦାଲତ ସମସ୍ତ ଆଠ ଜଣ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ କପ୍ ୨୮ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତରର ଅମିର୍ ବା ଶାସକ ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ -ଥାନିଙ୍କୁ ଭେଟି ତାଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ । ଏହାପରେ ଡିସେମ୍ବର ମାସରେ ମୃତ୍ୟୁ ଦଣ୍ଡାଦେଶକୁ କମାଇ ଦିଆଯାଇଥିଲା । ଏବେ ଭାରତ ଫେରିଥିବା ଅବସରପ୍ରାପ୍ତ ନୌସେନା କର୍ମଚାରୀମାନେ ସେମାନଙ୍କ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ‘‘ଭାରତକୁ ସୁରକ୍ଷିତ ଭାବେ ଫେରିଥିବାରୁ ଆମେ ଖୁସି । ନିଶ୍ଚିତ ଭାବେ, ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବାକୁ ଚାହିଁବୁ କାରଣ କେବଳ ତାଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ କାରଣରୁ ଏହା ସମ୍ଭବ ହୋଇପାରିଥିଲା ।’’ ସଂକଟ ସମୟରେ ବିଦେଶ ମାଟିରେ ଫସି ରହିଥିବା ନିଜ ନାଗରିକଙ୍କୁ ଭାରତ ସରକାର ସୁରକ୍ଷିତ ଭାବେ ଫେରାଇ ଆଣିବାର ଏହା ପ୍ରଥମ ଘଟଣା ନୁହେଁ । ଭାରତ ସବୁବେଳେ ନିଜର ପ୍ରତ୍ୟେକ ନାଗରିକଙ୍କ ଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସଂକଟପୂର୍ଣ୍ଣ ପରିସ୍ଥିତିରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଓ ସେମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ଲାଗି ସବୁବେଳେ ତ୍ୱରିତ ଓ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ସହିତ ଭାରତର କୂଟନୈତିକ ଓ ସାମରିକ ଦକ୍ଷତାକୁ ଯଥାସମ୍ଭବ ଉପଯୋଗ କରିଛନ୍ତି । ବିଶ୍ୱର ପ୍ରମୁଖ ରାଷ୍ଟ୍ରନେତାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସମୀକରଣ ଏବଂ ଭାରତର ବର୍ଦ୍ଧିତ ଅନ୍ତର୍ଜାତୀୟ ଭାବମୂର୍ତ୍ତି ବିପଦପୂର୍ଣ୍ଣ ଅଞ୍ଚଳରୁ ହଜାର ହଜାର ଭାରତୀୟଙ୍କୁ ନିରାପଦ ଭାବେ ଫେରାଇ ଆଣିବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି ।

Leave A Reply

Your email address will not be published.

17 − 15 =