ବସୁଧୈବ କୁଟୁମ୍ବକମ୍‌ର ବୃକ୍ଷରୋପଣ କାର୍ଯ୍ୟକ୍ରମ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତରଫରୁ ତର୍କରା ସ୍ଥିତ ବିଦ୍ୟୁତ କଲୋନୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନା ଓ ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସାମ୍ବାଦିକ ରଞ୍ଜିତ କୁମାର ବୋଷ, ଓଷ୍ଠାର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଶିକ୍ଷାବିତ ସନ୍ତୋଷ କୁମାର ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହ ଓ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅନିଲ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସହ ବୃକ୍ଷ ରୋପଣର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସାମ୍ପ୍ରତିକ ସ୍ଥିତିରେ ଜଣେ ବୟସ୍କ ବ୍ୟକ୍ତି ସାଧାରଣତଃ ୫୪୦ ଲିଟର ଅମ୍ଳଜାନ ଗ୍ରହଣ କରୁଥିବା ବେଳେ ଗୋଟିଏ ପ୍ରାପ୍ତବୟସ୍କ ଗଛ ଟିଏ ୨୭୦ ଲିଟର ଅମ୍ଳଜାନ ପ୍ରଦାନ କରିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦୁଇଟି ଗଛର ଆବଶ୍ୟକତା ପଡୁଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ନାଗରିକ ବୃକ୍ଷରୋପଣ କରିବା ଓ ଅନ୍ୟମାନଙ୍କୁ ଏଦିଗରେ ପ୍ରୋତ୍ସାହିତ କରିବା ପାଇଁ ଅନୁରୋଧ କରିଥିଲେ । ନଚେତ୍ ଆଗାମୀ ଦିନରେ ଅମ୍ଳଜାନ ଥଳି ଧରି ବୁଲିବା ପାଇଁ ସତର୍କ କରାଇ ଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥି ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରା ରୋପଣ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀମତୀ ପଟ୍ଟନାୟକ ବୃକ୍ଷ ସମ୍ପର୍କିତ ଏକ କବିତା ପାଠ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସୁରେନ୍ଦ୍ର କୁମାର ଦେବତା, ବନାନୀ ରାଉତ, ଗଦାଧର ମିଶ୍ର, ସନ୍ତୋଷ କୁମାର ସ୍ୱାଇଁ, ରଞ୍ଜନ ଆଚାର୍ଯ୍ୟ, ନୀତି ମୁଣ୍ଡା, ତୁଳା ମୁଣ୍ଡା, ପ୍ରତାପ ମାହାନ୍ତ, ପ୍ରଦୀପ ମାହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.