ବେଧଡକ ଭାବେ ଚାଲିଛି ବେଆଇନ ଗୋ ଚାଲାଣ କାରବାର

csstore
  • କଣ୍ଟାବାଞ୍ଜି ଅଞ୍ଚଳରେ ଗୋ ବ୍ୟବସାୟୀ ପଛରେ କିଏ ?
  • କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ
  • ଗାଈକୁ ନେଇ ସେବା ଚାଲୁଥିବା ବେଳେ ଏଠି ଚାଲିଛି ବ୍ୟବସାୟ।

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଗାଈକୁ ନେଇ ବିଭିନ୍ନ ପୂଜାର୍ଚ୍ଚନା ଚାଲିଥିବା ବେଳେ ଅନେକ ଗୋଶାଲା କରି ସଂଗଠନ ମାନେ ସେବା କରୁଛନ୍ତି କିନ୍ତୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଚାଲିଛି ଗାଈକୁ ନେଇ ବଡ଼ ବ୍ୟବସାୟ । ବେଧଡକ ଭାବେ ବେଆଇନ ଗୋ ଚାଲାଣ କାରବାର ହେଉଥିବାବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ଚୁପ୍ ରହିଥିବା ଦେଖିବାକୁ ମିଳିଛି । ଗତ କିଛି ମାସ ତଳେ ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହ ଶହ କିଲୋମିଟରୁ ଶହ ଶହ ଗାଈମାନଙ୍କୁ ପାଦ ଚଲାଇ ଗୋ ବ୍ୟବସାୟୀମାନେ ଆଣୁଥିବା ବେଳେ କଣ୍ଟାବାଞ୍ଜି ଅଞ୍ଚଳର ସଚେତନ ନାଗରିକମାନେ ଗୋ ଉଦ୍ଧାର କରି କଣ୍ଟାବାଞ୍ଜି ପୋଲିସକୁ ଜିମା ଦେଇଥିବା ବେଳେ କଣ୍ଟାବାଞ୍ଜି ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସେହି ଗୋ ବ୍ୟବସାୟୀ ମାନଙ୍କୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା । ଦିନକୁ ଦିନ କଣ୍ଟାବାଞ୍ଜି ଅଞ୍ଚଳରେ ଗୋ ବ୍ୟବସାୟୀ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ କିଛି ଜଣ ଦଲାଲ୍‌ ଏଥିରେ ସକ୍ରିୟ ହୋଇ ଏହି କାରବାର ଚଲାଇ ଆସୁଥିବା ଅଭିଯୋଗ ହେଉଛି । କଣ୍ଟାବାଞ୍ଜି ଗୋରୁ ବଜାରକୁ ବିଭିନ୍ନ ଅଞ୍ଚଳର ଗୋ ବ୍ୟବସାୟୀମାନେ ଗାଈ ଆଣି ବିକ୍ରୀ କରୁଥିବା ସେହି ଗାଈ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଗୋ ବ୍ୟବସାୟ ଏକ ବେଆଇନ କାର୍ଯ୍ୟ ଅଟେ ଏହି କାରବାର ଯିଏ ଲିପ୍ତ ହୁଅନ୍ତୁ ନାଁ କାହିଁକି ସେମାନଙ୍କ ଉପରେ ପୋଲିସ ଓ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି । କିନ୍ତୁ ଏଠାରେ କାର୍ଯ୍ୟାନୁଷ୍ଠାନ ବଦଳରେ କଣ୍ଟାବାଞ୍ଜି ଥାନାର କିଛି ଜଣ ପୋଲିସ କର୍ମଚାରୀ ଗୋ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଦାୟ କରି ସହଯୋଗ କରୁଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ କଣ୍ଟାବାଞ୍ଜି ଅଞ୍ଚଳରେ ଗୋ ଚାଲାଣ କାରବାର ବଢୁଥିବା ବେଳେ ଗୋ ହତ୍ୟା କରି ମାଂସ ବିକ୍ରୀ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏମିତିକି ମାମଲା ଥାନା ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲା । ତେବେ କଣ୍ଟାବାଞ୍ଜି ଅଞ୍ଚଳରେ ଚାଲିଥିବା ବେଆଇନ ଗୋ ବ୍ୟବସାୟ ଉପରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପୋଲିସ ନଜର ଦେଇ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.