
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ପୋର୍ଟକୁ ଜାହାଜରେ ଆସୁଥିବା ବିଦେଶୀ ଭ୍ରମଣକାରୀ ମାନଙ୍କୁ ବେଆଇନ ଭାବେ ସିମ୍ ବିକ୍ରି କରୁଥିବା ଅଭିଯୋଗ ପ୍ରଶାସନ ଠାରେ ନଜର ରହିଥିଲା । ମାମଲାରେ ତଦନ୍ତ ବେଳେ ପୋଲିସକୁ ମିଳିଛି ବଡ଼ ସଫଳତା । ଯାହାକି ଗଞ୍ଜାମ ଜିଲ୍ଲା ଆର୍ଜିପଲ୍ଲୀ ସ୍ଥିତ କତୁରୁ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପୋଲିସ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେମାନେ ହେଲେ କତୁରୁ ଗ୍ରାମର ଜି. ଶାମ୍ବା ଓ ମୋବାଇଲ ସିମ୍ ଦୋକାନୀ ଏମ୍. କାମେୟାଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କଠାରୁ ୭୦ ଟି ସିମ୍ ସହ ୨୨ଡ଼ଲାର ବିଦେଶୀ ମୁଦ୍ରା ପୋଲିସ ଜବତ କରିଛି । ପୋଲିସର କହିବାନୁଯାୟୀ, ଜି. ଶାମ୍ବା ଗୋପାଳପୁର ପୋର୍ଟରେ ଫୋରମେନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଜାହାଜରେ ଆସୁଥିବା ବିଦେଶୀମାନଙ୍କୁ ୨ହଜାରରୁ ୩ହଜାର ଟଙ୍କାରେ ସିମକାର୍ଡ ବିକ୍ରୀ କରୁଥିଲେ ବୋଲି କୁହାଯାଏ । ବନ୍ଧୁ ବାନ୍ଧବଙ୍କ ନାଁରେ ଡକୁମେଣ୍ଟ ଓ ଫିଙ୍ଗରପ୍ରିଣ୍ଟ ଦେଇ ସିମକାର୍ଡ କରି ଜାହାଜରେ ଆସୁଥିବା ବିଦେଶୀଙ୍କୁ ସେ ଅବାଧରେ ବିକ୍ରି କରୁଥିଲେ । ମୋବାଇଲ ସିମ୍ ଦୋକାନୀ ଏମ୍. କାମେୟାଙ୍କ ଠାରୁ ୪୦୦ଟଙ୍କାରେ ସିମ୍ ଶାମ୍ବା କିଣୁଥିଲେ ବୋଲି ପୋଲିସ କହିଛି । ଅଭିଯୁକ୍ତମାନଙ୍କୁ ଗିରଫ କରି ଆର୍ଜିପଲ୍ଲୀ ମେରାଇନ୍ ଥାନା ପୋଲିସ କୋର୍ଟ ଚାଲାଣ କରିଛି । ଘଟଣାରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି, ଏହି ଲିଙ୍କ କେଉଁ ପର୍ଯ୍ୟନ୍ତ ବ୍ୟାପିଛି ତାହାର ଅଧିକ ତଦନ୍ତ କରାଯାଉଥିବା ଛତ୍ରପୁର ଏସ.ଡି.ପି.ଓ. ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି ।