ବଲାଙ୍ଗିରର ଚୁଲ୍‌ବୁଲ୍‌ ଯୁବ କଳାକାର ଜ୍ୟୋତିରଂଜନ ପାଣିଗ୍ରାହୀ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଚୁଲ୍‌ବୁଲ୍‌ ଯୁବ କଳାକାର ସାଗରପଡ଼ାର ଜ୍ୟୋତିରଂଜନ ପାଣିଗ୍ରାହୀ(୩୭) ଆଉ ନାହାନ୍ତି । କରୋନା ସଂକ୍ରମଣରେ ଆଜି ସକାଳ ୮ଟା ୩୦ମି.ରେ ତାଙ୍କ ଦେହାନ୍ତ ହୋଇଥିବା ଖବର ସାରା ବଲାଙ୍ଗିର ସହରକୁ ଦୋହଳେଇ ଦେଇଛି । ନଟରାଜ କଳା ପରିଷଦର ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରୁଥିବା ଏହି କଳାକାର ଜଣକ ବଲାଙ୍ଗିର ଅନେକ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହିଥିଲେ । ବିଗତ ବର୍ଷରେ ବଲାଙ୍ଗିର ଲୋକ ଉତ୍ସବ କମିଟିରେ ମଂଚ ସହ ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଳାଇଥିଲେ । ମଂଚ ଅଭିନୟ କ୍ଷେତ୍ରରେ ତାଙ୍କର ଦକ୍ଷତା ବେଶ୍‌ ଆକର୍ଷଣୀୟ ଥିଲା । ତାଙ୍କ ପରଲୋକରେ ନଟରାଜ କଳା ପରିଷଦର ସଭାପତି ହରିନାରାୟଣ ପୂଜାରୀ, ସାଧାରଣ ସଂପାଦକ ରାମପ୍ରସାଦ ଦାଶ, ଲଳିତ ପୂଜାରୀ, କିଶୋର ଜାଲ, ପ୍ରଶାନ୍ତ ଖମାରୀ, ସୁରେନ୍ଦ୍ର ସେଠ, ନବଘନ ଦାଶ, ବଳରାମ ରାଉତ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଭଳି ଜଣେ କଳାକାରଙ୍କୁ ହରାଇ ଏ ମାଟି ଅନେକ କିଛି ହରାଇଛି ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ କହିଛନ୍ତି । ତେବେ ପ୍ରତ୍ୟହ ଚିହ୍ନାମୁହଁମାନଙ୍କ ପରଲୋକରେ ବଲାଙ୍ଗିର ଜନତା ଅତିଷ୍ଟ ହୋଇ ପଡ଼ୁଥିବା ବେଳେ କରୋନା ତାର କଳା ପନ୍‌ଝାରେ ଅନେକ ଲୋକଙ୍କୁ ସାଉଁଟି ନେଉଛି ବୋଲି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସନାତନ ଠାକୁର ଦୁଃଖ ପ୍ରକାଶ କରିଛନ୍ତି । ବିଗତ ଦିନରେ ରାଜେନ୍ଦ୍ରଭିଯାନ କାର୍ଯ୍ୟକ୍ରମରେ ଜ୍ୟୋତିରଂଜନଙ୍କ ସକ୍ରିୟ ଯୋଗଦାନ ରହିଥିବା ବେଳେ ଜଣେ ଯୁବ ହୀରୋଙ୍କୁ ହରେଇଲା ଏ ମାଟି ବୋଲି ରାଜେନ୍ଦ୍ରାଭିଯାନର ସମସ୍ତ କର୍ମକର୍ତ୍ତା ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.