
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଘୋର ଆର୍ଥିକ ଅନାଟନ ଅସୁବିଧା ସତ୍ତ୍ବେ ମଧ୍ୟ କମ ବୟସରୁ ଖୁବ୍ ସଂଘର୍ଷ କରି ନିଜର ସାରସ୍ୱତ ପ୍ରତିଭାକୁ ଜାଗ୍ରତ କରି ରଖିଥିବା ସୋନପୁରର କଳା ସଂସ୍କୃତି ପ୍ରେମୀ, ଗବେଷକ, ଐତିହାସିକ ତଥା ବାଗ୍ମୀ ସୁଦାମ ନାଏକଙ୍କ ସୋନପୁର ଘୋଡ଼ାଘାଟପଡା ଅସ୍ଥାୟୀ ବାସଭବନରେ ପହଞ୍ଚିଲେ ସୁବର୍ଣ୍ଣପୁରର ପ୍ରାକ୍ତନ ଜିଲ୍ଲାପାଳ ତଥା ସୂ -ସାହିତ୍ୟିକ ଡ଼. ନୃପରାଜ ସାହୁ । ସହରର ବୁଦ୍ଧିଜୀବୀ, ସାମ୍ୱାଦିକ ଓ ସମାଜସେବୀଙ୍କ ଗହଣରେ ଦୀର୍ଘ ଘଣ୍ଟାଏ ସମୟ ଧରି ଶ୍ରୀ ନାଏକ ଓ ତାଙ୍କ ପରିବାର ସହ ଆଲୋଚନା କରି ତାଙ୍କୁ ପ୍ରୋତ୍ସାହିତ କଲେ । ଶ୍ରୀ ନାଏକଙ୍କୁ ଉପଢ଼ୌକନ କିଛି ଅଙ୍ଗ ବସ୍ତ୍ର ସହିତ ଜିଲ୍ଲାପାଳ ଡ଼. ସାହୁ ସମ୍ୱର୍ଦ୍ଧିତ କରିଥିବା ବେଳେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଡ଼. ସାହୁଙ୍କ ଦ୍ଵାରା ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏତିକି ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସୋନପୁରର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ କୁ ଉଜ୍ଜୀବିତ କରିବା ପ୍ରୟାସ ଜାରି ରଖିଥିବା ଏହି ମହାନ ପ୍ରତିଭା ଶ୍ରୀ ନାଏକଙ୍କୁ ଆଗାମୀ ଦିନରେ ଆହୁରି ଗବେଷଣା କରିବା ସହ ପ୍ରୋତ୍ସାହିତ କରିବାର ଜିଲ୍ଲାପାଳଙ୍କ ଏହି ସାହସ ଦୃଢ଼ ପ୍ରତିଶ୍ର୍ରୁତି ଓ ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ ବୋଲି ଐତିହ୍ୟ, ସଂସ୍କୃତି ଓ ସାହିତ୍ୟ ପ୍ରେମୀ ମତ ପ୍ରକାଶ କରିଛନ୍ତି ।