
- ବିକାଶ ଓ ଜନସେବାର ଅମ୍ଲାନ ଛାପ ଛାଡ଼ିଗଲେ ସତ୍ୟବାବୁ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ସତ୍ୟଭୂଷଣ ସାହୁଙ୍କ ଏକାଦଶାହ ଅବସରରେ ଶନିବାର ତାଙ୍କ ପୈତୃକ ଗାଁ ମାଣ୍ଡୋସିଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସତ୍ୟବାବୁଙ୍କୁ ଶେଷ ସମ୍ମାନ ଜଣାଇବା ସହ ତାଙ୍କ ଜନସେବା, ସମାଜସେବା, ସରଳତା ଓ ଲୋକଙ୍କ ସହ ଥିବା ନିବିଡ଼ ସମ୍ପର୍କକୁ ସ୍ମରଣ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ, ସମର୍ଥକ, ଶୁଭେଚ୍ଛୁ ଓ ଅଞ୍ଚଳବାସୀଙ୍କ ସମାଗମ ହୋଇଥିଲା । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ସତ୍ୟଭୂଷଣ ସାହୁଙ୍କ ଦୀର୍ଘ ଜନଜୀବନ ଓ ରାଜନୈତିକ ଅବଦାନକୁ ସ୍ମରଣ କରିଥିଲେ । ସେ ଜଣେ ସରଳ, ନିଷ୍ଠାବାନ ଓ ଲୋକପ୍ରିୟ ଜନନେତା ଭାବେ ପଦ୍ମପୁର ଅଞ୍ଚଳର ରାଜନୈତିକ ଓ ସାମାଜିକ ଜୀବନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ବକ୍ତାମାନେ କହିଥିଲେ । ବିଧାୟକ ଭାବେ ସତ୍ୟବାବୁ ଅଞ୍ଚଳର ବିକାଶ ସହ ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ନିଜ କାର୍ଯ୍ୟଧାରାର ପ୍ରାଥମିକତା ଦେଇଥିଲେ । ବିଶେଷକରି ଗ୍ରାମାଞ୍ଚଳର ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ବିଭିନ୍ନ ମୌଳିକ ସୁବିଧା ସମ୍ପର୍କିତ ପ୍ରସଙ୍ଗରେ ତାଙ୍କ ସକ୍ରିୟ ଭୂମିକା ତାଙ୍କୁ ଲୋକଙ୍କ ନିକଟତର କରିଥିଲା । ଜନସାଧାରଣଙ୍କ ସମସ୍ୟା ଶୁଣିବା ଓ ସେଗୁଡ଼ିକର ସମାଧାନ ପାଇଁ ଉଦ୍ୟମ କରିବା ତାଙ୍କ ରାଜନୈତିକ ଜୀବନର ଏକ ପ୍ରମୁଖ ବିଶେଷତ୍ୱ ଥିଲା ବୋଲି ସ୍ମୃତିଚାରଣ କରାଯାଇଥିଲା । ବକ୍ତାମାନେ କହିଥିଲେ,ସତ୍ୟବାବୁଙ୍କ ପାଇଁ ରାଜନୀତି କେବଳ ପଦ ଓ କ୍ଷମତା ହାସଲର ମାଧ୍ୟମ ନଥିଲା । ଜନସେବା, ଅଞ୍ଚଳର ବିକାଶ ଓ ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ହିଁ ତାଙ୍କ ରାଜନୈତିକ ଜୀବନର ମୂଳ ଲକ୍ଷ୍ୟ ଥିଲା । ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ସୁସମ୍ପର୍କ ରଖିବା ଓ ସମସ୍ତଙ୍କୁ ସାଥୀ କରି ଆଗକୁ ବଢ଼ିବାର ତାଙ୍କ ମାନସିକତା ତାଙ୍କୁ ଜଣେ ଭିନ୍ନଧରଣର ଜନନେତା ଭାବେ ପରିଚିତ କରିଥିଲା । ଏକାଦଶାହ ଅବସରରେ ଉପସ୍ଥିତ ନେତା, କର୍ମୀ ଓ ଅଞ୍ଚଳବାସୀ ସତ୍ୟବାବୁଙ୍କ ଆଦର୍ଶ, ନୀତି ଓ ଜନସେବାର ମାର୍ଗକୁ ସ୍ମରଣ କରିବା ସହ ତାଙ୍କ ବିୟୋଗ ପଦ୍ମପୁର ଅଞ୍ଚଳର ରାଜନୈତିକ ଓ ସାମାଜିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ କରିଥିଲେ । ପଦ ଓ କ୍ଷମତା ସମୟ ସହିତ ବଦଳିଯାଏ, କିନ୍ତୁ ଲୋକଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ଓ ଲୋକଙ୍କ ହୃଦୟରେ ଛାଡ଼ିଯାଇଥିବା ସ୍ମୃତି କେବେ ଲିଭିଯାଏ ନାହିଁ । ସେହି ଦୃଷ୍ଟିରୁ ସତ୍ୟଭୂଷଣ ସାହୁ କେବଳ ଜଣେ ପୂର୍ବତନ ବିଧାୟକ ନୁହେଁ, ବରଂ ବିକାଶ ଓ ଜନସେବାର ଜଣେ ବାର୍ତ୍ତାବହ ଭାବେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମତ ପ୍ରକାଶ ପାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ଝାରବନ୍ଧର ପୂର୍ବତନ କଂଗ୍ରେସ ଜିଲ୍ଲାପରିଷଦ ସଭ୍ୟ ବୀରଦ୍ୱତ ସାହୁ ସଭାପତିତ୍ୱ କରିଥିବା ବେଳେ ପାଇକମାଲ ବ୍ଲକ କଂଗ୍ରେସ କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବରଗଡ଼ ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ, ବରଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିପନ ଦାସ, ବିଜେପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶୋର ଦଫାଦାର, ଭଟଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ବର୍ମା ମହାକୁର, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ବରଗଡ଼ କଂଗ୍ରେସ କମିଟି ସଭାପତି ହରଦୀପ ସିଂ, ଗାଇସିଲେଟ ବ୍ଲକ ଚେୟାରମେନ ପ୍ରଣୟ ସାହୁ, ପୁରୀ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୂପମା ପାତ୍ର, ମହିଳା ପ୍ରଦେଶ କଂଗ୍ରେସ ସମ୍ପାଦକ ସୁନୀତା ବାଗ, ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ, ପାଇକମାଲର ପୂର୍ବତନ ବ୍ଲକ ଚେୟାରମେନ ବିନୋଦ କାଲିଆ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ବିଜୟାନନ୍ଦ ପଟ୍ଟନାୟକ, ପ୍ରାଣବନ୍ଧୁ ଦାଶ, ଗଜରାଜ ସିଂ ପୁଟା, ଝାରବନ୍ଧ କଂଗ୍ରେସ ସଭାପତି ନରେନ ପ୍ରଧାନ, ବରଗଡ଼ ଜିଲ୍ଲା କଂଗ୍ରେସ ସମ୍ପାଦକ ମୁଜାଫର ହୁସେନ, ମନୋଜ ତ୍ରିବେଦୀ, ସୁଶାନ୍ତ ମିଶ୍ର,ବରିଷ୍ଠ କଂଗ୍ରେସ ନେତା ଗୌନ୍ତିଆ କୁମାର ସାହୁ, ରାଧାଭଲ୍ଲବ ପାଣିଗ୍ରାହୀ, ପଦ୍ମପୁର ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ ବେହେରା, ପଦ୍ମପୁର ନଗର କଂଗ୍ରେସ ସଭାପତି ସନ୍ତୋଷ ଶତପଥୀ, ଚାଷୀ ନେତା ଅଜିତ ଶତପଥୀ, ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଭାପତି ବଡ଼ ଶତପଥୀ, ଗଜିଆ ଶର୍ମା ଓ ପଶ୍ଚିମ ଓଡ଼ିଶା କୁବେର ସମାଜ ସଭାପତି ଲକ୍ଷ୍ମଣ ସାହୁଙ୍କ ସମେତ ବହୁ ରାଜନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ ।