ଜୀବନ ସୁରକ୍ଷା ଦିଗରେ ଟୀକାକରଣ ଅପରିହାର୍ଯ୍ୟ : ଗଞ୍ଜାମ ଜିଲ୍ଲାପାଳ

• ପୋଲିଓ ଓ ମିଶନ୍ ଇନ୍ଦ୍ରଧନୁଷ୍ କାର୍ଯ୍ୟକ୍ରମ ପରିଚାଳନା ନେଇ ଜିଲ୍ଲା ଟାସ୍କଫୋର୍ସ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚତୁର୍ଥ ରାଉଣ୍ଡ ପଲ୍ସ ପୋଲିଓ ଏବଂ ମିଶନ୍ ଇନ୍ଦ୍ରଧନୁଷ୍ ଜରିଆରେ ମାଆ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଚଳିତ ମାସରେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମର ସୁପରିଚାଳନା ଘେନି ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଜୁମ୍ ଆଭାସୀ ମାଧ୍ୟମରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ଜିଲ୍ଲାପାଳ ଜଣାଇଥିଲେ ଯେ, ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ସକାଶେ ବ୍ଲକ୍ ସ୍ତରୀୟ ବୈଠକ ଆଗତ କରି ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ଏବଂ କାର୍ଯ୍ୟକ୍ରମ ଚାଲୁ ରହିବା ଦିନର ପ୍ରତ୍ୟେକ ସଂଧ୍ୟାରେ ବୈଠକ କରି ଏହାର ସୁଦୂର ପ୍ରସାର ହେବ । ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ଜଣାଇଛନ୍ତି ।

ଫେବୃୟାରୀ ମାସ ୨୭ ତାରିଖ ଠାରୁ ମାର୍ଚ୍ଚମାସ ୧ ତାରିଖ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଜନ୍ମ ଗ୍ରହଣ କରିଥିବା ଶିଶୁଙ୍କ ଠାରୁ ଆରମ୍ବ କରି ୫ ବର୍ଷ ବୟସ ଶିଶୁ ପର୍ଯ୍ୟନ୍ତ ଚତୁର୍ଥ ରାଉଣ୍ଡ ପୋଲିଓ ବୁନ୍ଦା ଘରକୁ ଘର ବୁଲି ୩୪୯୧୫୬ ଜଣ ଶିଶୁଙ୍କୁ ଖୁଆଯିବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାରେ ୧୬୧୭ ଗୋଟି ବୁଥ୍ କରାଯାଇ ୩୨୩୪ ଗୋଟି ଦଳକୁ ନିୟୋଜିତ କରାଯିବ । ଆଗାମୀ ଦିନରେ ୬୪୬୮ ଜଣ ବୁନ୍ଦା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ନିଯୋଜିତ କରାଯିବ । ୩୨୩ ଜଣ ସୁପରଭାଇଜର ଏହାକୁ ପରିଚାଳନା କରିବେ । ୫୫ ଗୋଟି ମୋବାଇଲ୍ ଟିମ୍ କାର୍ଯ୍ୟ କରିବ । ଏଠାରେ ପ୍ରକାଶ ଥାଉକି, ଗତ ୨୦୧୯ ମାର୍ଚ୍ଚ ମାସରେ ୩୪୨୩୭୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିଲା । ୨୦୨୦ ମସିହା ଜାନୁୟାରୀରେ ୩୪୯୧୫୬ ଜଣଙ୍କୁ ଏବଂ ୨୦୨୧ ଜାନୁୟାରୀ ମାସରେ ୩୪୪୦୫୬ ଜଣଙ୍କୁ ବୁନ୍ଦା ଖୁଆଇ ଦିଆଯାଇଥିବା ବେଳେ ଚଳିତ ୨୦୨୨ ବର୍ଷରେ ୩୫୨୯୭୯ ଜଣଙ୍କୁ ଏହି ବୁନ୍ଦା ଖୁଆଇବା ସକାଶେ ବ୍ୟବସ୍ଥା କରାଯାଇଅଛି । ଗତବର୍ଷ ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ସଫଳତା ହାସଲ କରିଥିବା ହେତୁ ଜାତୀୟ ସ୍ତରରେ ସମ୍ମାନୀତ ହୋଇପାରିଥିଲା ।

ଏହି ବୈଠକରେ ମିଶନ୍ ଇନ୍ଦ୍ରଧନୁଷ୍ କାର୍ଯ୍ୟକ୍ରମକୁ ତୀବ୍ରତର କରିବା ନେଇ ସବିଶେଷ ଆଲୋଚନା ହୋଇଯାଇଛି । ଜୀବନ ସୁରକ୍ଷା ଦିଗରେ ସମ୍ପୂର୍ଣ୍ଣ ଟୀକାକରଣ ଅପରିହାର୍ୟ୍ୟ ହୋଇପଡିଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ ବିଗତ ଚତୁର୍ଥ ସର୍ଭେ ରିପୋର୍ଟରେ ୫୪.୦୨ ପ୍ରତିଶତ ଗଞ୍ଜାମ ଜିଲ୍ଲା ଥିବା ବେଳେ ପଞ୍ଚମ ସର୍ଭେ ରିପୋର୍ଟରେ ତାହା ୩୪.୦୩ ପ୍ରତିଶତ ବୃଦ୍ଧି ହୋଇ ୮୮.୦୫ ପ୍ରତିଶତରେ ପହଞ୍ଚିଛି । ଯାହାକି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପରିବାରଙ୍କ ସ୍ୱାସ୍ଥ୍ୟ ଯତ୍ନ ଶୁଭଙ୍କର ।

ଜନ୍ମିତ ଶିଶୁଠାରୁ ଆରମ୍ଭ କରି ଦୁଇ ବର୍ଷର ଶିଶୁ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ସମସ୍ତ ଟିକାକରଣ ଅପରିହାର୍ଯ୍ୟ । ଜିଲ୍ଲାର କେହି ଜଣେ ବି ଶିଶୁ ଟୀକାକରଣରୁ ବଞ୍ଚିତ ହେବେ ନାହିଁ । ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି । ଆଗାମୀ ମାର୍ଚ୍ଚ ମାସରେ ୭ ଦିନ, ଏପ୍ରିଲ୍ ମାସରେ ୭ ଦିନ ଏବଂ ମେ’ ମାସରେ ୭ ଦିନ ଧରି ଏହି କାର୍ଯ୍ୟକ୍ରମ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବ ।

ଜନ୍ମିତ ଶିଶୁଠାରୁ ୨୩ ମାସର ଶିଶୁ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ସମସ୍ତ ପ୍ରକାର ଟୀକା ପ୍ରଦାନ ହେବ । ନିହାତି ଭାବେ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ଟୀକାକରଣ ହେବ । ଏଥି ସକାଶେ ପ୍ରଶିକ୍ଷଣ, ପ୍ରଚାର ପ୍ରସାର, ପ୍ରତ୍ୟେକ ସଂଧ୍ୟାରେ ବୈଠକ, କିଭଳି ସମସ୍ତଙ୍କ ସଂପୃକ୍ତି ନେଇ ସବିଶେଷ ଆଲୋଚନା ହୋଇଯାଇଛି ।

ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ଯୋଜନା ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମା’ ଓ ଶିଶୁ ସୁରକ୍ଷା କାର୍ଯ୍ୟ କ୍ରମର ଜିଲ୍ଲା ଶିଶୁ ଉପ-ପରିଚାଳକ ଶକ୍ତି କୁମାର ଦିଗାଲ ଯୋଜନା ସମ୍ପର୍କିତ ସମସ୍ତ ପ୍ରସ୍ତୁତି ତଥ୍ୟ ଉପସ୍ଥାପନା କରିଥିଲେ । ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସଂପୃକ୍ତ ଅଧିକାରୀଗଣ ଏବଂ ଜିଲ୍ଲା ଟାସ୍କଫୋର୍ସର ସମସ୍ତ ସଭ୍ୟା ଓ ସଭ୍ୟଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × one =