pakka

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଭାତରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଦ୍ଵାରା ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ କୀର୍ତ୍ତନ ଦଳ ମାଧ୍ୟମରେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା । ସକାଳ ୭.୩୦ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ପିଡି ଡିଆରଡିଏ ଡ଼ୋଲାମଣି ପଟେଲ୍, ଉପଜିଲ୍ଲାପାଳ ନିହାର ରଂଜନ କଅଁର, ଜିଲ୍ଲା ସଂସ୍କୃତି ଅଧିକାରୀ ଡ. ଇପ୍ସିତା ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ଅତିଥି ବୃନ୍ଦ ପ୍ରଥମେ ଷ୍ଟାଡିୟମ୍ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତା’ପରେ ସଭାସ୍ଥଳରେ ଥିବା ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋରେ ଧୂପଦୀପ ଏବଂ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶିକ୍ଷକ ପୁଷ୍ପକ ରାୟ ଏବଂ ସନ୍ତୋଷିନୀ ନନ୍ଦ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନଗାନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଦ୍ୟାପତି ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସର୍ବଧର୍ମ ପ୍ରାର୍ଥନା ସଭାରେ ଜନାବ ମହମ୍ମଦ ରଫିକ ପବିତ୍ର ଧର୍ମଗ୍ରନ୍ଥ କୋରାନ୍, ପାଷ୍ଟର ପ୍ରଭାତ ଦିଗାଲ ବାଇବଲ ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ପୁଝାରୀ ଗୀତା ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସହରର ଗାନ୍ଧୀ ପ୍ରେମୀ ବ୍ୟକ୍ତି ବିଶେଷ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

eighteen − fifteen =

error: Content is protected !!