ନଟରାଜ କଳା ପରିଷଦର ରଜତ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦ ଆଜି ଐତିହାସିକ କୋସଲ କଳାମଣ୍ଡଳ ଠାରେ ତାର ରଜତ ଜୟନ୍ତୀ ଉତ୍ସବ ପାଳନ କରିଛି । ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ । ସଭା ପରିଚାଳନା କରିଥିଲେ ଅଧ୍ୟାପକ ଶମ୍ଭୁ ଦାସ । ଏହି ଅବସରରେ ସ୍ୱର୍ଗତ ସୁବାଷ ପୁଜାରୀଙ୍କ ସ୍ମୃତିରେ କୋସଲ ଗୌରବ ନାଟ୍ୟ ସମ୍ମାନ ପ୍ରାଧ୍ୟାପକ ଚୁଡାମଣି ରଥଙ୍କୁ ଓ ସ୍ୱର୍ଗତ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଯୁବ କଳାକାର ନଟରାଜ ସମ୍ମାନ ଲଳିତ ପୂଜାରୀଙ୍କୁ ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କ ଅଭିଭାଷଣ ପରେ ପରେ ପ୍ରଥମ ଦିନରେ ଦୁଇଟି ନାଟକ ପରବେଷଣ କରାଯାଇଥିଲା । ପ୍ରଥମ ନାଟକ ଆଶାପୁର ନୁ ଆମେରିକା ଏକ ମଧ୍ୟବିତ୍ତ ପରିବାରର ଜୀବନର ଆଶା ନିରାଶା ଓ ସଂଘର୍ଷର କାହାଣୀ ଉପରେ ପର୍ଯ୍ୟବେଷିତ । ଆକାଂକ୍ଷିତ ବାବୁ ଜଣେ ସାଧାରଣ ଶିକ୍ଷକ । ଆକାଂକ୍ଷିତ ବାବୁ ଓ ମାତା ଆଶାଦେବୀଙ୍କ ଏକ ମାତ୍ର ଗେହ୍ଲା ପୁଅ ଅଭିଳାଷ । ଘନଘୋର ପ୍ରତିଯୋଗିତା ଓ ଦୁର୍ବଳ ଆର୍ଥିକ ଅବସ୍ଥା ସତ୍ୱେ ଆକାଂକ୍ଷୀ ବାବୁ ପୁଅକୁ ଆବାସୀ ଇଂରାଜୀ ବିଦ୍ୟାଳୟରେ ପାଠ ପଢାଇବା ପରେ ଏବେ ପୁଅକୁ ଯେକୌଣସି ମତେ ବୈଷୟିକ ତାଲିମ ଦେବାକୁ ବ୍ୟଗ୍ର । ତେବେ ପୁଅ ଚାକିରି ପାଇଲା ପରେ କିଭଳି ଦୂର ଦେଶକୁ ଯାଇ କାମ ପାଇଁ ମା’ ବାପାକୁ ଭୁଲି ବସେ । ପୁଅକୁ ଝୁରି ଝୁରି ମା’ ନିଜ ଜୀବନ ହାରି ବସେ । ଅନ୍ୟପଟେ ପତ୍ନୀ ବିୟୋଗ ପରେ ବାପା ବୃଦ୍ଧାଶ୍ରମରେ ରହିବାକୁ ବାଧ୍ୟ ହୋଇ ପୁଅକୁ ତରସେ । ଏଭଳି ଏକ ଦୁଖଭରା କାହାଣୀ ଦର୍ଶକଙ୍କ ମନକୁ ବେଶ ଛୁଇଁ ଯାଇଥିଲା । ଲେଖକ ଚୁଡାମଣି ରଥ ଏହାର ରଚନା କରିଥିବା ବେଳେ ନିର୍ଦ୍ଦେଶନା ପ୍ରଶାନ୍ତ ଖମାରୀ, ମଂଚ ସଜ୍ଜା ରବି, ଉତ୍ତମ, ବଳରାମ, ସଂଗୀତ କିଶୋର, ଅଭିନୟ ଜ୍ୟୋତି ବେଦବାକ, ପ୍ରହଲ୍ଲାଦ ଦର୍ଜୀ, ପ୍ରଶାନ୍ତ ପଣ୍ଡା ଓ ପ୍ରାୟମ୍ଭ ପ୍ରତୀକ ଜାଲ, ଶ୍ରୀପ୍ରଦା ଷଡଙ୍ଗୀ ନିଖୁଣ ଅଭିନୟ କରିଥିଲେ ।

ସେହିପରି ରାତି ସାଢେ ୮ ଟାରେ ଦ୍ୱିତୀୟ ନାଟକ ଦେବରାଜ ସାହୁଙ୍କ ଦ୍ୱାରା ଲିଖିତ, ନିର୍ଦ୍ଦେଶନା ପ୍ରଶାନ୍ତ ଖମାରୀ ସହେଯାଗୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମଧୂସୁଦନ ନାୟକ, ମଞ ସଜ୍ଜା ରବି, ଉତ୍ତମ, ବଳରାମ, କିଶୋର ଦ୍ୱାରା ଅ..ଆ…ଇ ନାଟକ ମଞ୍ଚସ୍ଥ ହୋଇଥିଲା । ଏହି ବାସ୍ତବଧର୍ମୀ ନାଟକରେ ଦୁଇ ଜଣ ଗବେଷକ ମନୋଜ ମିଶ୍ର ଆଉ ସହ ଗବେଷିକା ସିଲଭାନିଆ ବ୍ରିଗେନଜା ଜୀବନର ସତ୍ୟ ଖୋଜି ଖୋଜି କେମତି ଶ୍ମସାନକୁ ପହଞ୍ଚିଥିଲେ । ବିଭୂତିପଡା ଶ୍ମସାନରେ ଥିବା ଅନ୍ଧାରି ବାବା ସେମାନଙ୍କୁ ଜୀବନର ସତ୍ୟ ଉପରେ ଜ୍ଞାନ ଦେଇଛନ୍ତି । ମରଣ ନିଷ୍ଠୁର ଦେଖାଗଲେ ମଧ୍ୟ ନୂଆ ଜୀବନ ପାଇଁ ରାସ୍ତା ଖୋଲିଥାଏ । ଲୋକେ କିନ୍ତୁ ବିଭିନ୍ନ ବସ୍ତୁବାଦୀ ଚିନ୍ତାଧାରାରେ ଜୀବନର ଏହି ସତ୍ୟତାକୁ ଭୁଲି ଯାଆନ୍ତି । ମୃତ୍ୟୁ ପରେ ସଂସାର ବନ୍ଧନ ସରି ଯାଇଥିଲେ ସୁଦ୍ଧା ମରଣ ନିଜେ ବାହାରି ପଡେ ସତ୍ୟର ଅନୁସନ୍ଧାନରେ । ଆଉ ନୂଆ ଶରୀର ପାଇଲା ପରେ ତା’ ଉପରେ ପୁଣି ଲେଖା ଯାଏ ଜୀବନର ଅ..ଆ…ଇ… ଏଭଳି କିଛି ସତ୍ୟର ଅନ୍ତିମ ସନ୍ଧାନ ଉପରେ ପର୍ୟ୍ୟବେଷିତ ଏହି ନାଟକ । ନାଟକରେ ଦେବବ୍ରତ, ମଧୁ, ରାମ, ସୁମିତ, ନବଘନ, ସରୋଜ, ସୈଲିନ, ଟୁନା, ଅନିଲ, ଟଙ୍କଧର, ସଂଜୀବ, ବିଶ୍ୱଜିତ, ଅର୍ଜୁନ ଓ ପୂଜା । ମଞ୍ଚ ସଜ୍ଜା ରବି, ଉତ୍ତମ, ବଳରାମ କିଶୋର ବେଶ ହୃଦୟସ୍ପର୍ଶୀ ଅଭିନୟ କରି ଦର୍ଶକଙ୍କ ମନ ମୋହି ନେଇଥିଲେ । ଶେଷରେ ହିମାଂଶୁ ଶେଖର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × four =