jayashree

କଲ୍ୟାଣସିଂହପୁରରେ ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ଠାରେ ଶ୍ରୀ ଜୀଉଙ୍କ ବାହୁଡ଼ା ଯାତ୍ରା ମହା ଆଡମ୍ବରରେ ହୋଇଯାଇଛି । ଖରା ହୋଇଥିବାରୁ ମହାଆଡମ୍ବରରେ ଶ୍ରୀ ଜୀଉଙ୍କ ରଥ ଶ୍ରୀ ମନ୍ଦିର ନିକଟରେ ଲାଗିଛି । ଶ୍ରୀଜୀଉଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଯିବ ବୋଲି ମନ୍ଦିରର ପରିଚାଳନା କମିଟି ପକ୍ଷରୁ ଜଣାପଡିଛି । ଶୁକ୍ରବାର ଦିନ ସେବାୟତ ମାନେ ସକାଳୁ ଜୀଉଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ଶ୍ରୀ ଜଗନ୍ନାଥଙ୍କୁ ବୌଦ୍ଧ ଅବତାରରେ ସୁସଜିତ କରି ଧୂପଦୀପ ନୈବେଦ୍ୟ ଲାଗି କରିବା ପରେ ଦୁଆର ଫିଟାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କ ବୌଦ୍ଧ ଅବତାର ଦେଖିବା ପାଇଁ ସକାଳୁ ପାଗ ମେଘୁଆ ହୋଇଥିଲେ ମଧ୍ୟ ବହୁ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ଏହି ଅବସରରେ କମିଟି ତରଫରୁ ଶ୍ରୀ ଜୀଉଙ୍କୁ ଖେଚୁଡ଼ି ଭୋଗ ଲାଗି କରିବା ପରେ ଉକ୍ତ ଭୋଗକୁ ବିକ୍ରି କରିଥିଲେ । ସେବାୟତମାନେ ମଧ୍ୟାହ୍ନରେ ପୁଣି ଶ୍ରୀ ଜୀଉଙ୍କୁ କଳକୀ ଅବତାରରେ ସୁସଜିତ କରିଥିଲେ । ଅପରାହ୍ନରେ ଖରା ହେବା ପରେ ଶ୍ରୀ ଜୀଉଙ୍କ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ । ୫ ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରିଥିଲେ । ଶ୍ରୀ ଜଗନ୍ନାଥ ବଳଭଦ୍ର, ମାଆ ସୁଭଦ୍ରା ଓ ପତିତପାବନ ଗୁଣ୍ଡିଚା ମନ୍ଦିରରେ ନଅ ଦିନ ଧରି ରହି ସେହିଠାରେ ଶ୍ରୀ ଜଗନ୍ନାଥ ବିଭିନ୍ନ ଅବତାର ଧାରଣ କରିବା ପରେ କଳକୀ ଅବତାରେ ଶ୍ରୀମନ୍ଦିରକୁ ଫେରିଥିଲେ । ଏ ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ବସାଯାଇଥିଲା । ପୁଲିସ, ଜବାନ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ମିଳିତରେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ପହଣ୍ଡି ଠାରୁ ରଥଟଣା ପର୍ଯ୍ୟନ୍ତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଓ ପଞ୍ଚାୟତ ପକ୍ଷରୁ ରଥ ଯାତ୍ରା ପଡିଆରେ ବ୍ଲିଚିଙ୍ଗ ପକାଇଥିଲେ । ଏଥିରେ ତହସିଲ କାର୍ଯ୍ୟାଳୟ ବିଦ୍ୟୁତ ବିଭାଗ ଓ ଡ୍ରାଇଭର ସଙ୍ଘର କର୍ମଚାରୀମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷ ଯାତ୍ରା ଦିନ ଆଦିବାସୀ ଓ ଡମ୍ବ ସମ୍ପ୍ରଦାୟର ସମସ୍ତ ପରିବାରର ଲୋକମାନେ ପୂର୍ବପୁରୁଷରୁ ଚାଲିଆସୁଥିବା ପରମ୍ପରାକୁ ବଜାଇ ରଖିଛନ୍ତି । ଆଗକୁ ମଧ୍ୟ ଉକ୍ତ ପରମ୍ପରା ବଜାଇ ରଖିବା ପାଇଁ ଯୁବ ପୀଡିକୁ ପ୍ରେରଣା ଦେଇଛନ୍ତି । ପିତୃପୁରୁଷମାନେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଦେଖିବା ପାଇଁ ଯାଉଛନ୍ତି ବୋଲି ବିଶ୍ୱାସ ରଖି ପ୍ରତ୍ୟେକ ଘରେ ରୀତିନୀତି ଅନୁଯାୟୀ ବିଭିନ୍ନ ପ୍ରକାରର ପିଠା, ପଣା, ଖିରି, ପୁଳି, ନଡ଼ିଆ, କଦଳୀ କରି ଭୋଗ କରିଥାନ୍ତି । ଏହି ବାହୁଡା ଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ସଂକୀର୍ତ୍ତନ ଦଳ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.