ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମାଉସୀମା ମନ୍ଦିରରୁ ନୃସିଂହନାଥ ଦୀର୍ଘ ୪ କି.ମି. ରଥରେ ତିନି ଠାକୁରଙ୍କୁ ଅପରାହ୍ନ ୩ଟାରେ ରଥରେ ବସାଇ ଟାଣି ଟାଣି ସନ୍ଧ୍ୟା ସାଢ଼େ ୮ଟାରେ ନୃସିଂହନାଥ ମନ୍ଦିରକୁ ଅଣାଯାଇଛି । ସିଆଳିଲତାରେ ରଥ ବନ୍ଧା ଯାଇ ଗୋଟିଏ ପାର୍ଶ୍ବ ମହିଳା ଓ ଅନ୍ୟ ପାର୍ଶ୍ବକୁ ପୁରୁଷମାନେ ଟାଣିଥିଲେ । ଆଜି ଅପରାହ୍ନ ୩ଟାରେ ମହାପ୍ରଭୁ ପହଣ୍ଡିରେ ଆଣି ରଥାରୂଢ କରିଥିଲେ । ଏହାପରେ ସଂକୀର୍ତ୍ତନ ମଣ୍ଡଳୀ ସହିତ ଭକ୍ତଙ୍କ ସମାବେଶରେ ରଥଟଣା ଆରମ୍ଭ ହୋଇଥିଲା । ନୃସିଂହ ବ୍ରାହ୍ମଣ ସମାଜର ଗିରିଶ ଚନ୍ଦ୍ର ନାୟକ, ମାତୃପ୍ରସାଦ ରଥ, ଶଙ୍କର ଦାସ, ମାନସ ନାୟକ, ଦୁର୍ଯ୍ୟୋଧନ ତ୍ରିପାଠୀ, ରୋଶନ ପାଣିଗ୍ରାହୀ, ପ୍ରୀତସ ବଡ଼ପଣ୍ଡା, ବୁଲୁ ନାୟକ, ଶରତ ବଡପଣ୍ତା, ପଣ୍ତିତ ପ୍ରେମାନନ୍ଦ ଦେବତା, ସୁନିଲ ପୁରୋହିତ ତଥା ନୃସିଂହନାଥ ମନ୍ଦିର ପୂଜକମାନେ ରଥରେ ସହଯୋଗ କରିଥିଲେ । ପାଇକମାଲ ଠାରୁ ନୃସିଂହନାଥ ମଧ୍ୟରେ ରାସ୍ତାର ପାଇକମାଲ, ନରସିଂହପଡା, ଜର୍ଜଗଡ଼, ଦୁର୍ଗାପାଲି, ଦଣ୍ଡପାଟ ଆଦି ସ୍ଥାନମାନଙ୍କର ଭକ୍ତମାନଙ୍କୁ ଦର୍ଶନ ଦେଇ ମହାପ୍ରଭୁ ନୃସିଂହନାଥ ମନ୍ଦିରକୁ ବିଜେ କରିଛନ୍ତି । ମଉସା ଦାୟିତ୍ୱରେ ଥିବା ଅନିଲ ଗୁପ୍ତା ଓ ତାଙ୍କ ଧର୍ମପତ୍ନୀ ତିନି ଠାକୁରଙ୍କ ନଅଦିନ ଧରି ସେବା କରିଥିଲେ । ଭକ୍ତଙ୍କର ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ଅନେକ ପ୍ରକାର ସୁବ୍ୟବସ୍ଥା କରାଯାଇ, ଶାନ୍ତିଶୃଙ୍ଖଳା ସହ ନୃସିଂହନାଥ ମନ୍ଦିରରେ ତିନି ଠାକୁର ପହଞ୍ଚିଥିଲେ । ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।
