
କେସିଙ୍ଗା, (ପ୍ରୀତେଶ ପଟେଲ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ୟୁଥ୍ ଓ ଇକୋ କ୍ଲବର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ୟୁଥ୍ ଓ ଇକୋ କ୍ଲବର ଭାର ପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ବକ୍ତାମାନେ ବୃକ୍ଷର ଗୁରୁତ୍ୱ, ପରିବେଶ ସୁରକ୍ଷା, ଜଳବାୟୁ ସନ୍ତୁଳନ ଏବଂ ସବୁଜ ପରିବେଶ ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ । “ଗୋଟିଏ ଚାରା ରୋପଣ କରିବା ଅର୍ଥ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପୃଥିବୀର ଭିତ୍ତି ସ୍ଥାପନ କରିବା;” ବୋଲି ମତ ପ୍ରକାଶ ପାଇଥିଲା । ପରିବେଶ ସୁରକ୍ଷା ସହ ସାମାଜିକ ସେବା ଓ ଜନ ସଚେତନତାକୁ ଗୁରୁତ୍ୱ ଦେଇ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଦୃଢ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ ୟୁଥ୍ ଓ ଇକୋ କ୍ଲବର ସଦସ୍ୟମାନେ ବିଭିନ୍ନ ପ୍ରକାରର ବୃକ୍ଷର ଚାରା ରୋପଣ କରିଥିଲେ । ଏଥିସହ ରୋପିତ ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ଓ ସେଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ସଙ୍କଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ମୀରା ମହଲା ଓ ଶୁଭଶ୍ରୀ ସେଠୀ ସଂଯୋଜନା କରିଥିଲେ । ପରିଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା ।

