କଳାହାଣ୍ଡି, (ପି.କେ.ସାହୁ) : ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ଵ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ବିଶ୍ଵ ଜନସଂଖ୍ୟା ଦିବସ ପାଳନ କରାଯାଏ । ଏହି ଅବସରରେ ଆଜି ଭବାନୀପାଟଣା ଡିଏଚ୍ଏଚ୍ ସମ୍ମିଳନୀ ଗୃହରେ ସକାଳ ୧୦.୦୦ଘଣ୍ଟା ସମୟରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ବିବେକାନନ୍ଦ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ସିଡିଏମ୍ଓ ଡ. କସ୍ତୁରୀ ମିଶ୍ର ଯୋଗ ଦେଇଥିଲେ । ସଭା ପୂର୍ବରୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଏକ ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ସିଡ଼ିଏମ୍ଓ ଡ. ମିଶ୍ର ଏକ ସଚେତନତା ରଥର ଶୁଭ ଉଦ୍ଘାଟନ କରିଥିଲେ । ସଭାରେ ମୁଖ୍ୟବକ୍ତା ରୂପେ ଡ. ରଞ୍ଜନ ମିତ୍ର ଯୋଗଦେଇ ପରିବାର ନିୟୋଜନ ଆମ ସମସ୍ତଙ୍କର ଦାୟିତ୍ୱ ଓ ପରିବାର ନିୟୋଜନକୁ ଆପଣାଇ ଜନସଂଖ୍ୟା ବୃଦ୍ଧିକୁ ହ୍ରାସ ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟ ଅତିଥି ଡ. ମିଶ୍ର ଜନସଂଖ୍ୟା ବୃଦ୍ଧିକୁ ରୋକା ନଗଲେ ଆଗକୁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇ ଏହା ଆମର ପରିବେଶ, ସାମାଜିକ ବ୍ୟବସ୍ଥା, ଅର୍ଥନୀତି ଉପରେ ପ୍ରବଳ ଚାପ ଓ ପ୍ରଭାବ ପକାଇବ ବୋଲି କହିଥିଲେ । ସଭାରେ ଜନସଂଖ୍ୟା ବୃଦ୍ଧିରେ ଅନେକ କାରଣ ମଧ୍ୟରୁ ଅଜ୍ଞତା, ଦାରିଦ୍ର୍ୟ ଓ ଅନ୍ନୁନତ ମାନସିକତା ଦାୟୀ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ୨୦୨୧-୨୨ବର୍ଷ ପାଇଁ ପରିବାର କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବୋତ୍ତମ ସିଏଚ୍ସି ରୂପେ ବୋର୍ଡା ସିଏଚ୍ସି, ଉତ୍ତମ ସର୍ଜନ ରୂପେ ୨୦୨୧-୨୨ ବର୍ଷରେ ୩୦୦୦ ଟି ମହିଳା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିବା ଧର୍ମଗଡ ଡାକ୍ତରଖାନାର ଡ. ସଦାନନ୍ଦ ପାଣିଗ୍ରାହୀ, ଉତ୍ତମ ସର୍ଜନ ରୂପେ ୧୨ଟି ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବା ଜୁନାଗଡ ଡାକ୍ତରଖାନାର ଡ. ଭଗବାନ ପଣ୍ଡା, ଉତ୍ତମ ଏଏନ୍ଏମ୍ ରୂପେ ବୋର୍ଡା ସିଏଚ୍ସିର ଶ୍ରୀମତୀ ଲିନା ସାହୁ, ଉତ୍ତମ ଆଶା କର୍ମୀ ରୂପେ ନର୍ଲାର ଶ୍ରୀମତୀ ସାବିତ୍ରୀ ଗୌଡଙ୍କୁ ପୁରସ୍କୃତ କରାଯାଇଥିଲା । “ଜନସଂଖ୍ୟାରେ ସ୍ଥିରତା ଉପରେ ନିଜର ଭୂମିକା ଓ ଦାୟିତ୍ଵ” ଶୀର୍ଷକ ଉପରେ ବକ୍ତୃତା ପ୍ରତିଯୋଗିତାରେ ଆଶାକର୍ମୀ ସାଜଦା ବେଗମ୍, ପଦ୍ମାବତୀ ଘଡେ଼ଇ, ସୁଭାଷିନୀ ସୁନାନୀ ଓ ଏଏନ୍ଏମ୍ ବୈଶାଖୀ ସାହୁ, ରୋଜାଲିନ ପାଢ଼ୀ, ରାଜଲକ୍ଷ୍ମୀ ଜେନା ପ୍ରଥମ, ଦ୍ଵିତୀୟ, ତୃତୀୟ ପୁରସ୍କାର ପାଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ରିତା ନାଏକ, ମିନାକ୍ଷୀ ମହାନ୍ତି, ସୁଧାଂଶୁ ଦିଗାଲ, ବିବେକାନନ୍ଦ ସାମଲ, ସରକାରୀ ନର୍ସିଂ ସ୍କୁଲର ଛାତ୍ରୀ, ଆଶାକର୍ମୀ, ଏଏନ୍ଏମ୍ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।
Next Post