ଲୋୟର ସୁକତେଲ ବିସ୍ଥାପିତ ଜିଏସ୍‌ ଡୁଙ୍ଗୁରିପାଲି ଗ୍ରାମକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବନ୍ଦ କଲା ପ୍ରଶାସନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋର ସୁକତେଲ ଜଳସେଚନ ପ୍ରକଳ୍ପରେ ସମ୍ପୂର୍ଣ୍ଣ ଭାବେ ବିସ୍ଥାପିତ ହେବାକୁ ଯାଉଥିବା ଲୋଇସିଂହା ବ୍ଲକର ଜିଏସ୍‌ ଡୁଙ୍ଗୁରିପାଲି ଗ୍ରାମକୁ ଗତ ତିନିଦିନ ହେଲା ପ୍ରଶାସନ ପକ୍ଷରୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଛି । ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବହୁ ପ୍ରତୀକ୍ଷିତ ଏହି ଜଳସେଚନ ପ୍ରକଳ୍ପ(ଡ୍ୟାମ)ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବର୍ଷା ଜଳ ପ୍ରବେଶ କରିଛି । ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏଥିରେ ପ୍ରଭାବିତ ଗଡ଼ଶଙ୍କର ଡୁଙ୍ଗୁରିପାଲି ଗ୍ରାମର ଲୋକଙ୍କୁ ଅଦ୍ୟାବଧି ଉପଯୁକ୍ତ ଥଇଥାନ ତଥା କ୍ଷତିପୂରଣ ମିଳିପାରି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରାନଯାଇ ଜୋରଜବରଦସ୍ତ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ବିସ୍ଥାପିତ କରିବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଗତ ତିନିଦିନ ହେଲା ଗ୍ରାମକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୪ ଟି ୱାର୍ଡ ବିଶିଷ୍ଟ ଡୁଙ୍ଗୁରିପାଲି ଗ୍ରାମରେ ପ୍ରାୟ ୭୦୦ରୁ ଅଧିକ ପରିବାର ବାସ କରନ୍ତି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ପ୍ରଭାବିତ ଏହି ଗ୍ରାମର କିଛି ଲୋକ ନିଜସ୍ୱ ଉଦ୍ୟମରେ ନିଜ ଜିନିଷପତ୍ର ଗାଡ଼ିରେ ଲଦି ଅନ୍ୟତ୍ର ସ୍ଥାନାନ୍ତର କରୁଥିବା ବେଳେ ବାକି ଲୋକେ ଅସହାୟ ଅବସ୍ଥାରେ ଗ୍ରାମରେ ପଡି ରହିଛନ୍ତି । ଏପଟେ ନଦୀରେ କ୍ରମଶଃ ଜଳସ୍ତର ବଢ଼ିବାରେ ଲାଗିଥିବାରୁ ଦୁଶ୍ଚିନ୍ତାରେ ଅଛନ୍ତି ଗ୍ରାମବାସୀ । ପ୍ରାୟ ୬ ମାସ ପୂର୍ବରୁ ସ୍କୁଲ ପିଲାଙ୍କୁ ବାଧ୍ୟତାମୂଳକ ଭାବେ ଟ୍ରାନ୍ସଫର ସାର୍ଟିଫିକେଟ ଦିଆଯାଇଥିବା ବେଳେ ସ୍କୁଲ ଘରକୁ ଭାଙ୍ଗି ଦିଆଯାଇଛି । ବିନା ସୂଚନାରେ ଲୋକଙ୍କ ରୟତି ଜମିରୁ ପ୍ରଶାସନ ଗଛ କାଟି ନେଉଥିବା ବେଳେ ଘରଡିହ ଟଙ୍କା ବଣ୍ଟନରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ଅନେକ ବୃଦ୍ଧବୃଦ୍ଧା ନିଜ ଘରେ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହିଥିବା ବେଳେ ନବଜାତକଙ୍କ ଅବସ୍ଥା କହିଲେ ନ ସରେ । ଏଭଳି ସ୍ଥିତିରେ ଗ୍ରାମକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବନ୍ଦ କରାଯିବା ଘଟଣା ହିଟଲରି ଶାସନର ନଗ୍ନ ନମୁନା ବୋଲି ଗ୍ରାମବାସୀ କହିଛନ୍ତି । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରାଗଲେ ସେମାନେ ଗାଁ ଛାଡି ଚାଲିଯିବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି । ତେବେ ଥଇଥାନ କେନ୍ଦ୍ରରେ ସର୍ବନିମ୍ନ ଉପଯୁକ୍ତ ସୁବିଧା ମଧ୍ୟ ପ୍ରଶାସନ ଯୋଗାଇ ଦେବାକୁ ଗ୍ରାମର ସୁବର୍ଣ୍ଣ ପଧାନ, ପାଞ୍ଚାଳି ପଧାନ, ଅମ୍ବିକା ସାହୁ, ଯଜ୍ଞକର ବିଶ୍ୱାଳ, ଦୁତିଆ ଗଡତ୍ୟା, ମିତ୍ରଭାନୁ ଛତ୍ରିଆଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

fourteen + seventeen =