jayashree

ଜୁଆ ଓ ସଂଗଠିତ ଅପରାଧ ବିରୁଦ୍ଧରେ ନୂଆପଡା ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ : ୨୨ ଗିରଫ, ୩.୫୬ ଲକ୍ଷ ଟଙ୍କା ଜବତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ନୂଆପଡ଼ା ପୁଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଛି । ଦୀର୍ଘଦିନ ଧରି ଜୋଙ୍କ ଥାନା ଅଞ୍ଚଳରେ ସଂଗଠିତ ଭାବେ ଚାଲୁଥିବା ଜୁଆ କାରବାର ଉପରେ ଗୁଇନ୍ଦା ନଜର ରଖିବା ପରେ ପୁଲିସ ଏକ ଯୋଜନାବଦ୍ଧ ଚଢ଼ାଉ କରି ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୩ ଲକ୍ଷ ୫୬ ହଜାର ୫୫ ଟଙ୍କା, ୪ଟି ନୂଆ ତାସ ପ୍ୟାକେଟ, ୧୯ଟି ସ୍ମାର୍ଟଫୋନ ଓ ୬ଟି ମୋଟରସାଇକେଲ ଜବତ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜୋଙ୍କ ଥାନା ଅଞ୍ଚଳରେ କିଛି ବ୍ୟକ୍ତି ମିଳିତ ଭାବେ ବଡ଼ ଆକାରର ଜୁଆ ଆସର ବସାଉଥିବା ନେଇ ବହୁଦିନ ଧରି ଖବର ମିଳୁଥିଲା । ଏହାକୁ ଗୁରୁତ୍ୱର ସହ ନେଇ ନୂଆପଡ଼ା ପୁଲିସ ଗୁପ୍ତ ଭାବେ ଅନୁସନ୍ଧାନ ଜାରି ରଖିଥିଲା । ଶେଷରେ ବିଶ୍ୱସ୍ତ ସୂତ୍ର ଆଧାରରେ ଗତ ୨ ଜୁନ ରାତି ପ୍ରାୟ ୧୦ଟା ୧୦ ମିନିଟ ସମୟରେ ପୁଲିସ ଟିମ୍ ଚଢ଼ାଉ କରି ଜୁଆ ଖେଳୁଥିବା ବେଳେ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା । ଚଢ଼ାଉ ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ନଗଦ ଅର୍ଥ ଜବତ ହୋଇଥିବା ସହିତ ଜୁଆ ଖେଳରେ ବ୍ୟବହୃତ ତାସ ପ୍ୟାକେଟ, ମୋବାଇଲ ଫୋନ ଓ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି । ତେବେ ପୁଲିସ ପହଞ୍ଚିବା ସମୟରେ ଦୁଇ ଅଭିଯୁକ୍ତ ଦାଦୁ ଖାନ ଓ ରାଜୁ ଖାନ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ । ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ନୂଆପଡ଼ା, ବଲାଙ୍ଗିର ଓ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଜୁଆ କାରବାରଟି କେବଳ ସ୍ଥାନୀୟ ସ୍ତରରେ ସୀମିତ ନଥାଇ ଅନ୍ୟ ଅଞ୍ଚଳର ଜୁଆଡ଼ି ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ । ପୁଲିସ ଯାଞ୍ଚ ବେଳେ ଆଉ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି । ଗିରଫ ହୋଇଥିବା କେତେକ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଜୁଆ ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି । ଅଶୋକ ଭୋଇଙ୍କ ନାମରେ ୩ଟି, ଜଗନ୍ନାଥ ମେହେରଙ୍କ ନାମରେ ୩ଟି, ଧଳେନ୍ଦ୍ର ସାହୁଙ୍କ ନାମରେ ୨ଟି, ମହମ୍ମଦ ୱାସିମଙ୍କ ନାମରେ ୨ଟି, ମୋଇନ ଖାନଙ୍କ ନାମରେ ୨ଟି ଓ ଅନ୍ୟ କେତେକ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ପୂର୍ବ ରେକର୍ଡ ଥିବା ଜଣାପଡ଼ିଛି । ଏହା ଦର୍ଶାଉଛି ଯେ କେତେକ ଅଭିଯୁକ୍ତ ପୂର୍ବରୁ ମଧ୍ୟ ସମାନ ପ୍ରକାରର କାର୍ଯ୍ୟକଳାପରେ ଲିପ୍ତ ଥିଲେ । ଘଟଣାକୁ ନେଇ ଜୋଙ୍କ ଥାନାରେ କେସ୍ ନଂ-୧୮୨, ତାରିଖ ୦୩.୦୬.୨୦୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୧୧(୪), ୧୧୨(୨) ସହ ଓଡ଼ିଶା ଜୁଆ ନିଷେଧ ଆଇନର ଧାରା ୩ ଅନୁସାରେ ମାମଲା ରୁଜୁ କରାଯାଇଛି । ମାମଲାର ତଦନ୍ତ ଜୋଙ୍କ ଥାନାର ଉପ ନିରୀକ୍ଷକ ବିଷ୍ଣୁ ପ୍ରସାଦ ପ୍ରଧାନ କରୁଛନ୍ତି । ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ସମାଜରେ ଅପରାଧିକ ପ୍ରବୃତ୍ତିକୁ ରୋକିବା ପାଇଁ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ନୂଆପଡା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.