
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶ୍ରମିକ ସଂଘ ଆହ୍ୱାନରେ ଆଜି ସେକ୍ଟର–୨ ସହରସେବା କାର୍ଯ୍ୟାଳୟ ସମ୍ମୁଖରେ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିଶାଳ ଗଣଧାରଣା ଓ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ଓ କର୍ମଚାରୀ ବିରୋଧୀ ପଦକ୍ଷେପ ପ୍ରତିବାଦରେ ଏହି ଆନ୍ଦୋଳନ ଆୟୋଜିତ ହୋଇଥିଲା । ଲାଇସେନ୍ସ ଆଧାରରେ ଅବସରପ୍ରାପ୍ତ କର୍ମଚାରୀମାନେ ନେଇଥିବା କ୍ୱାର୍ଟରର ଏକ୍ସଟେନ୍ସନ୍ ଭଙ୍ଗା ନୋଟିସର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ୧୮ ମାସିଆ କ୍ୱାର୍ଟର ରିଟେନସନ୍ ସ୍କିମ୍ର ପୁନଃ ପ୍ରଚଳନ ଏବଂ କର୍ମରତ କର୍ମଚାରୀଙ୍କ ପାଇଁ ଡବଲ୍ କ୍ୱାର୍ଟର ସ୍କିମ୍କୁ ବଳବତ୍ତର ରଖିବା ଦାବିରେ ଅନୁଷ୍ଠିତ ଏହି ଗଣଧାରଣାରେ ହଜାର ହଜାର ସଂଖ୍ୟାରେ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଗଠନ, ସାମାଜିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇ ସମର୍ଥନ ଜଣାଇଥିଲେ । ସକାଳ ୯ ଘଟିକାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସାଧାରଣ ସମ୍ପାଦକ ଗଣଧାରଣା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ସଂଘର ସାଧାରଣ ସମ୍ପାଦକ ଶ୍ରୀ ବେହେରା କହିଥିଲେ ଯେ, ଯେଉଁ ଶ୍ରମିକମାନେ ନିଜ ଜୀବନର ଅମୂଲ୍ୟ ସମୟ, ଶ୍ରମ, ଲୁହ ଓ ଲହୁ ଦେଇ ଇସ୍ପାତ କାରଖାନା ଏବଂ ଇସ୍ପାତ ନଗରୀ ଗଢ଼ିଛନ୍ତି, ସେମାନଙ୍କୁ ଅବସର ପରେ ଅଯଥା ହଇରାଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ ଚେତାବନୀ ଦେଇ କହିଥିଲେ ଯେ, ଦୀର୍ଘ ୨୦ ବର୍ଷ ଧରି କ୍ୱାର୍ଟର ବାବଦରେ ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଆଦାୟ କରାଯାଇଛି ଏବଂ ମାସିକ ଭଡ଼ା ମଧ୍ୟ ନିଆଯାଉଛି । ତେଣୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବଳପୂର୍ବକ ଉଚ୍ଛେଦ କରିବାର ଯେକୌଣସି ପ୍ରୟାସକୁ ସଂଘ ଦୃଢ଼ ଭାବେ ପ୍ରତିରୋଧ କରିବ । କୌଣସି ପରିସ୍ଥିତିରେ କ୍ୱାର୍ଟର ଏକ୍ସଟେନ୍ସନ୍ ଭଙ୍ଗାଯିବାକୁ ଦିଆଯିବ ନାହିଁ ଏବଂ ଏଥିରୁ ସୃଷ୍ଟି ହେବାକୁ ଥିବା ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଇସ୍ପାତ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ । ସେଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ଅଛି । ଗଣଧାରଣାରେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ, ସିଆଇଟିୟୁର ବସନ୍ତ କୁମାର ନାୟକ, ରତ୍ନାକର ନାୟକ, ଆର୍ଏମ୍ଏସ୍ର ସିଦ୍ଧେଶ୍ୱର ବଳ, କଳାକାର ସାହୁ, ସତ୍ୟାନନ୍ଦ ବେହେରା, ଏଆଇଟିୟୁସିର ରମେଶ ସେଠୀ, ଜିଲ୍ଲା କଂଗ୍ରେସ ସଭାପତି ସବୀର ହୁସେନ, ଇସ୍ପାତ ମାର୍କେଟର ସୁଜିତ କୁମାର ସ୍ୱାଇଁ , ସମାଜସେବୀ ପି ପି ରାୟ, ପ୍ରଶାନ୍ତ ସେଠୀ, ଗୋପାଳ ଜେନା, ଖଦାଳ ସେଠୀ, ସରୋଜ କୁମାର ଲେଙ୍କା, ଜଗନ୍ନାଥ ରାଉତ, ପ୍ରଭାତୀ ପଟ୍ଟନାୟକ, ସୁକାନ୍ତ ଖୁଣ୍ଟିଆ, ଜୟଶ୍ରୀ ପାଣିଗ୍ରାହୀ, ଦିଲ୍ଲୀପ କୁମାର ମହାପାତ୍ର, ଚକ୍ରଧର ପ୍ରଧାନ, ନିହାର ଦାସ, ଆର୍.କେ. ପଣ୍ଡା, ଅକ୍ଷୟ ଜେନା, ପଦ୍ମାଳୟା ଧର, କେ ଏନ ବିଶ୍ୱାଳ, ବୀରକିଶୋର ଶେଖରଦେଓ ଓ ପ୍ରତାପ ମେହେର ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଶେଷରେ ଶ୍ରୀ ବେହେରାଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଏକ ପ୍ରତିନିଧିମଣ୍ଡଳୀ ଡିଆଇସିଙ୍କ ଉଦ୍ଦେଶ୍ୟରେ ସହରସେବା ମୁଖ୍ୟ ଟି.ଜି କାନେକରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ଓ ସଫଳତାରେ ସଂଘର ୟୁଥ୍ ଉଇଙ୍ଗ ସଭାପତି ବିକାଶ ବେହୁରିଆ, ସୌମ୍ୟ ଧଳ, ଅଖିଳ ପୃଷ୍ଟି, ସୁଜିତ ନାୟକ, ସତ୍ୟ ପ୍ରଧାନ, ବ୍ରହ୍ମାନନ୍ଦ ବେହେରା, ଦିଲୀପ କୁମାର ମଲ୍ଲିକ, ସୁକାନ୍ତ କୁମାର ନାୟକ, ଦୀପକ ଦେ, ସୁଦନ ଚୌଧୁରୀ, ଦୀପଙ୍କର ପାଲ୍, ପ୍ରଦୀପ ଶେଖରଦେଓ, ସୁରେଶ କିଶାନ, ପ୍ରଫୁଲ୍ଲ ଦାସ, ରମାକାନ୍ତ ପରିଡ଼ା, ଗୌରାଙ୍ଗ ପରିଜା, ତ୍ରିଲୋଚନ ପାଣିଗ୍ରାହୀ , ସରୋଜ ପରିଡ଼ା, ସୁନିଲ ଟୁଡୁ, ଦେବାଶିଷ ଜେନା, ଦୁର୍ଗା ଜେନା, ବିନୋଦ ତନ୍ତୀ, କାର୍ତ୍ତିକ ଖଣ୍ଡୁଆଳ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।