om academy

୨୦୦୫ ମସିହା ମନୀଷା ହତ୍ୟା ମାମଲା : ସ୍ୱାମୀ ବିମଳ ଖେତାନଙ୍କୁ ଆଜୀବନ କାରାବାସ ସଜା ଦେଲେ ହାଇକୋର୍ଟ, ସାମ୍ୱାଦିକ ସମ୍ମିଳନୀରେ ମନୀଷାଙ୍କ ପରିବାର ଦେଲେ ସୂଚନା

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟଲାଗଡ ରଘୁନାଥପଡ଼ାର ବ୍ୟବସାୟୀ ଗଜାନନ୍ଦ ଅଗ୍ରୱାଲ ନିଜର ଦ୍ୱିତୀୟ ଝିଅ ମନୀଷା ଅଗ୍ରୱାଲଙ୍କ ବିବାହ ଗତ ୨୦୦୫ ମସିହା ମେ’ ୯ ତାରିଖରେ ଝାରସୁଗୁଡା ହେଡ ପୋଷ୍ଟ ଅଫିସ ଲାଇନର ନିବାସୀ କୈଳାଶ ଖେତାନଙ୍କର ସାନ ପୁଅ ବିମଳ ଖେତାନଙ୍କ ସହ ରୀତିନୀତି ଅନୁସାରେ କରାଇଥିଲେ । ହେଲେ ବିବାହର କିଛିଦିନ ପରେ ମନୀଷା ଯୌତୁକ ନିର୍ଯାତନାର ଶିକାର ହୋଇଥିଲେ । ତାଙ୍କ ଶାଶୁ କାନ୍ତା ଖେତାନ, ଶ୍ୱଶୁର କୈଳାଶ ଖେତାନ, ଦେଢଶୁର ସୁନୀଲ ଖେତାନ ଓ ଯାଆ ସୁଜାତା ଖେତାନ ମନୀଷାଙ୍କୁ ତାଙ୍କ ବାପଘରୁ ଟଙ୍କା ମାଗିବା ପାଇଁ ବାଧ୍ୟ କରି ନିର୍ଯ୍ୟାତନା ଦେଉଥିଲେ । ଯୌତୁକ ସାଙ୍ଗକୁ ବିମଳଙ୍କ ଅନ୍ୟ ଝିଅ ସହ ସମ୍ବନ୍ଧ ଥିବା ଜାଣି ମନୀଷା ମୁଁ ଘରକୁ ପଳେଇବି ମତେ ଛାଡ଼ି ଦିଅ, ଯଦି ଅଲଗା ଝିଅ ସଙ୍ଗେ ସମ୍ବନ୍ଧ ରଖିଥିଲ ତ ମତେ କାହିଁ ବାହା ହେଉଥିଲ, ମୁଁ ମୋ’ ପରିବାର ଲୋକଙ୍କୁ ଏ ବିଷୟରେ କହିବି ବୋଲି କହିବାରୁ ୩୦ ସେପ୍ଟେମ୍ବର ରାତିରେ ଆମ ଭଉଣୀଙ୍କୁ ତଣ୍ଟି ଚିପି ମନୀଷାର ସ୍ୱାମୀ ଓ ତାଙ୍କ ପରିବାର ଲୋକେ ହତ୍ୟା କରିଥିଲେ ବୋଲି ସାମ୍ୱାଦିକ ସମ୍ମିଳନୀରେ ମନୀଷାଙ୍କ ଦୁଇ ଭାଇ ଗୌରବ ଓ ରୋହିତ ଅଗ୍ରୱାଲ ସୂଚନା ଦେଇଛନ୍ତି । ୧ ଅକ୍ଟୋବର ୨୦୦୫ରେ ଟିଟିଲାଗଡର ମନୀଷାଙ୍କ ପିତାମାତାଙ୍କୁ ଖବର ମିଳିଲା ଯେ ମନୀଷାଙ୍କ ମୃତ୍ୟୁ ହୋଇଛି, ଖବର ପାଇ ପରିବାର ଲୋକେ ପହଞ୍ଚିଥିଲେ । ଝାରସୁଗୁଡ଼ାରେ ସେତେବେଳେ କେବଳ କୈଳାଶ ଖେତାନଙ୍କୁ ଛାଡ଼ିକି ପରିବାରର ଆଉ କେହି ସେଠାରେ ନ ଥିଲେ ।

ଅକ୍ଟୋବର ୧ରେ ହିଁ ଝାରସୁଗୁଡା ଥାନାରେ ଯୌତୁକ ନିର୍ୟ୍ୟାତନା ସହ ହତ୍ୟା ମାମଲା କେସ ଦେଇଥିଲେ ମନୀଷାଙ୍କ ପରିବାର । କେସ ଦେବା ପରେ ସମସ୍ତେ ଫେରାର ମାରିଥିଲେ । ତେବେ ତାରିଖକୁ ତାରିଖ ଗଡ଼ି ଚାଲିଥିବା ବେଳେ କୋର୍ଟ ପକ୍ଷରୁ ସମ୍ପତି ବାଜ୍ୟାପ୍ତି ନୋଟିସ୍‌ ଜାରି ହେବା ପରେ ପରିବାରର ସମସ୍ତେ ହାଜର ହୋଇଥିଲେ । ସମସ୍ତଙ୍କୁ ତିନି ବର୍ଷ ଲେଖାଏଁ ଜେଲ ଦଣ୍ଡ ହୋଇଥିଲା । ବେଲ୍‌ ଆବେଦନ କରି ତିନି ବର୍ଷ ପରେ ଜେଲରୁ ବାହାରିବା ପରେ ପୁଣି ଥରେ ମୁଖ୍ୟ ଅଭିଯୁକ୍ତ ବିମଳ ଖେତାନ ଦ୍ୱିତୀୟ ବିବାହ କରିଥିଲେ ଜୁନାଗଡ଼ ଅଞ୍ଚଳରେ । ଯାହାକି ଚୋର ମୁହଁ ଟାଣ ସଦୃଶ । ଏହି ମାମଲା ହାଇକୋର୍ଟ ଯାଏଁ ଗଲା, ଦୀର୍ଘ ୧୮ ବର୍ଷ ପରେ ହାଇକୋର୍ଟ ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ବିମଳ ଖେତାନଙ୍କୁ ଆଜୀବନ କାରାଦଣ୍ଡ ଦେଇଥିବା ବେଳେ ଆମ ଝିଅ ମନୀଷାର ଆତ୍ମାକୁ ଶାନ୍ତି ମିଳିଛି ଏବଂ ଧର୍ମର ଜୟ ହୋଇଛି ବୋଲି ମନୀଷାଙ୍କ ବାପା ଗଜାନନ୍ଦ ଅଗ୍ରୱାଲ କହିଛନ୍ତି । ଡେରିରେ ହେଉ ପଛେ କିନ୍ତୁ ନ୍ୟାୟ ପାଇଲୁ, ଆମେ ତ’ ଆମ ଝିଅ ହରେଇଲୁ କିନ୍ତୁ ସମାଜକୁ ଗୋଟିଏ କଥା କହିବି ଯୌତୁକ ମାଗୁଥିବା ଲୋକଙ୍କ ଘରେ କେବେ ବି ଝିଅ ବିବାହ କରନ୍ତୁ ନାହିଁ, କି ମୋ ଝିଅ ଭଳି ଆଉ କେହି ଜୀବନ ନ ହାରୁ ବୋଲି କାନ୍ଦି କାନ୍ଦି କହିଥିଲେ ।

Leave A Reply

Your email address will not be published.