pakka

ବିରିଘାଟ ଜଙ୍ଗଲରୁ ମିଳିଲା ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ଶବ : ପ୍ରେମ ଜନିତ ହତ୍ୟା ଅଭିଯୋଗ, ସ୍ୱିକାର କଲା ପ୍ରେମିକା

bbehera

ବୌଦ୍ଧ, (ବଂଶୀଧର ମାଝୀ) : ଶିକ୍ଷକ ନିଖୋଜ ଘଟଣାର ଦୀର୍ଘ ୧୨ ଦିନପରେ ମିଳିଲା ଅର୍ଦ୍ଧଦଗ୍ଧ ଶବ । କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ(୨୫) ନିଜ ଗାଁ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିଲେ । ଗତ ୧୨ ତାରିଖ ସନ୍ଧ୍ୟା ସମୟରେ ତାଙ୍କ ସଂପର୍କୀୟ ଭାଇ ବିଜେ ସହ ଏକ ବାଇକ ଯୋଗେ ସନ୍ଧିସରା ଯାଇଥିଲେ । ପରେ ବାସୁଦେବ କୌଣସି କାମରେ ଏକାକି କର୍ଲାଖମନ ଗ୍ରାମକୁ ଯାଇଥିଲେ କିନ୍ତୁ ଫେରି ନଥିଲେ । ପୁଅର ନିଖୋଜ ବିଷୟରେ ତାଙ୍କ ମାଆ କମଳା କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୁଧବାର ଅପରାହ୍ନରେ କର୍ଲାଖମନ ଗ୍ରାମର ରାହୁଲନଦୀ କୂଳ ବିରିଘାଟ ସ୍ଥାନରେ ଏକ ଅର୍ଦ୍ଧଦଗ୍ଧ ଶବ ପଡିଥିବା ଖବର ପାଇ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ଶବ ଚିହ୍ନଟ ପୂର୍ବକ ପୋଲିସକୁ ଖବର ଦେଇଥିଲେ । ଗୁରୁବାର ବଲାଙ୍ଗିର ସଦର ଉପଖଣ୍ତ ଥାନାଧିକାରୀ ତୋଫାନ ବାଗଙ୍କ ନେତୃତ୍ତ୍ବର ପୁଇଁନ୍ତଲା ଥାନାଧିକାରୀ ଯଶୋବନ୍ତ ପ୍ରଧାନ ଓ ତୁଷୁରା ଥାନା ଅଧିକାରୀ ସଞ୍ଜିବ ପ୍ରଧାନଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ହୋଇଥିଲା । ପୋଲିସ ପକ୍ଷରୁ ଶବ ଉଦ୍ଧାର କରାଯାଇ ବଲାଙ୍ଗିର ଠାରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଶବକୁ ନିଆଁ ଦ୍ବାରା ପୋଡି ଦିଆଯାଇ ଥିବାରୁ ଶତକଡା ୮୦ ଭାଗ ପୋଡି ଯାଇଥିଲା । ବାସୁଦେବ ଉକ୍ତ ଗ୍ରାମର ଜଣେ ଯୁବତିଙ୍କ ସହ ୪ ବର୍ଷର ପ୍ରେମ ସଂପର୍କ ଥିବାରୁ ପ୍ରେମ ଜନିତ ହତ୍ୟା ସନ୍ଧେହ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ ପରିବାର ଲୋକ । ପ୍ରେମିକା ପ୍ରମୋଦା ବଗର୍ତ୍ତି ସନ୍ଧେହ ଘେରକୁ ଆସିବା ପରେ ପୋଲିସ ତାକୁ ଉଠାଇ ନେଇ ପଚରାଉଚୁରା କରିବାରୁ ଭିଣୋଇ ଭଗବାନ ସହ ମିଶି ହତ୍ୟା କରିଥିବା ବିଷୟ ଝିଅ ସ୍ବିକାର କରିଥିଲା । ହତ୍ୟାରେ ବ୍ୟବହୃତ ଶାବଳ ଓ କିଶି ସାମଗ୍ରୀ ଜବତ କରିଛି ପୋଲିସ । ଅନ୍ୟପଟେ ଏବେ ବାସୁଦେବଙ୍କ ବିଧବା ମାଆ କମଳା ଏକମାତ୍ର ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ପୁଅକୁ ହରାଇ ଛୋଟଛୋଟ ଦୁଇ ଝିଅ ସହ ଅସହାୟ ଅବସ୍ଥାରେ ରହୁଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ ବାସୁଦେବର ନିର୍ବନ୍ଧ ସରିଥିଲା । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ଦେବା ମଧ୍ୟ ସରିଥିଲା । ଆସନ୍ତା ମାର୍ଚ୍ଚ ୯ ତାରିଖରେ ବିବାହ ହୋଇଥାନ୍ତା କିନ୍ତୁ ହତ୍ୟା ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ହତ୍ୟା ଘଟଣାରେ ଆହୁରୀ କିଛି ସଂପୃକ୍ତ ଥିବା ସନ୍ଧେହ କରାଯାଉଛି ।

jay balangir
Leave A Reply

Your email address will not be published.

three × 1 =