
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜେଲରୁ ଜାମିନରେ ମୁକୁଳିବାର ଦିନ ହିଁ ପୁଣି ଛୁରାମାଡ଼ । ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଅନ୍ତର୍ଗତ ଝାକରପାଲି ଗ୍ରାମରେ ଏଭଳି ଏକ ହିଂସାତ୍ମକ ଘଟଣା ଘଟିଛି । ତୁର୍ଲା ଗ୍ରାମର ସ୍ୱାଧୀନ ପଣ୍ଡାଙ୍କୁ ଝାକରପାଲି ଗ୍ରାମର ପ୍ରକାଶ ସିଂ ବରିହା ପଛପଟୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ସ୍ୱାଧୀନଙ୍କୁ ସ୍ଥାନୀୟ ଲୋକେ ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିବା ବେଳେ ପୋଲିସ ଅଭିଯୁକ୍ତ ପ୍ରକାଶଙ୍କୁ ଗିରଫ କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଦୁଇଥର ଛୁରୀ ଆକ୍ରମଣ ଘଟଣାରେ ଜେଲ ଯାଇଥିଲେ । ଗତ ଜୁନ୍ ୧୫ ତାରିଖରେ ଭାଲୁଡୁଙ୍ଗୁରି ଗ୍ରାମର ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରି ପ୍ରାୟ ପାଞ୍ଚ ମାସ ଜେଲରେ ରହିବା ପରେ ଆଜି ଜାମିନରେ ମୁକୁଳିଥିଲେ । ହେଲେ ପୁଣି ଏଭଳି ଆକ୍ରମଣ ଘଟାଇବା ଘଟଣା ଆଇନର ଭୟ ଓ ଅପରାଧ ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠାଇଛି । ଅଭିଯୁକ୍ତଙ୍କ ଏଭଳି ହିଂସାତ୍ମକ ଆଚରଣକୁ ଜନସାଧାରଣ ତୀବ୍ର ନିନ୍ଦା କରିବା ସହ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଓ ଆଇନ ଅନୁଯାୟୀ କଠୋର ଦଣ୍ଡ ଦାବି କରିଛନ୍ତି ।