ଚିର ସ୍ମରଣୀୟ ବ୍ୟକ୍ତିତ୍ଵ ସ୍ଵନାମଧନ୍ୟ କୃଷ୍ଣଲୀଳା ଗୁରୁ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ

  • ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ବ୍ରହ୍ମପୁର

ଓଡ଼ିଶାର ସ୍ଵନାମଧନ୍ୟ କୃଷ୍ଣଲୀଳା ବିଶେଷଜ୍ଞ ତଥା ଲୋକକଳା ଗୁରୁ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଇତିମଧ୍ୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୭ ବର୍ଷ ବୟସ ହୋଇଥିଲା । ଚଳିତ ବର୍ଷ ପବିତ୍ର ବିଜୟା ଦଶମୀ ଦିନ ପ୍ରତ୍ୟୁଷରେ ନିଜର ଜନ୍ମଲୀଳା ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଗୋବିନ୍ଦପୁର ଗାଁର ୧୦୭ ବୟସରେ ଶରୀରପୀଡ଼ା, ଶଯ୍ୟାଶାୟୀ ଅବସ୍ଥାରେ ସେ ଦେହ ତ୍ୟାଗ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାହାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର୍ ପାତ୍ର, ଗଞ୍ଜାମ ଜିଲ୍ଲାର ମନ୍ତ୍ରୀ ମାନ୍ୟବର (ଖଣି, ଇସ୍ପାତ, ବାଣିଜ୍ୟ ପରିବହନ) ବିଭୂତି ଭୂଷଣ ଜେନା, ଗଞ୍ଜାମ ପୋଲିସ ବାହିନୀ ପ୍ରମୁଖ ତାହାଙ୍କ ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଶରୀର ରୋଗାକ୍ରାନ୍ତ ଥାଇ ଶଯ୍ୟାଶାୟୀ ଅବସ୍ଥାରେ ମଧ୍ୟ ସେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁଣ୍ଡରେ କୃଷ୍ଣଲୀଳା ଭଜନ ରାମ ନାମ.. କୃଷ୍ଣ ନାମ.. ଗୁଣୁଗୁଣୁ ହୋଇ ହାତ ଯୋଡି ଗାଇ ଗାଇ ଦେହତ୍ୟାଗ କରିଥିବା କୁହାଯାଏ ।
ଲୋକନୃତ୍ୟ ଓ ଲୋକସଂସ୍କୃତିର କେନ୍ଦ୍ରସ୍ଥଳ ଭାବରେ ସ୍ୱତନ୍ତ୍ର ମାନ୍ୟତା ପାଇଥିବା ଭଞ୍ଜମାଟି ର ସୁପୁତ୍ର ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ ମଧ୍ୟରେ ଏକ ଅନନ୍ୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ । କୃଷ୍ଣଲୀଳାକୁ ଅନର୍ଗଳ ଭାବରେ ସେ ଗାନ / ଅଭିନୟ କରି ଏହି ମାଟିର ସୁନାମ ଅର୍ଜନ କରିଯାଇଛନ୍ତି । ଦେଶ ବିଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିଆସିଛନ୍ତି ।
କୃଷ୍ଣଲୀଳା ଗାୟନ ତଥା ମଞ୍ଚନାଟ୍ୟ ପରିବେଷଣ ଉପରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା । କୃଷ୍ଣଲୀଳାକୁ ଜନମାନସରେ ପ୍ରଚଳିତ କରିବା ଦିଗରେ ଏବଂ ସମଗ୍ର ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରଚାର ପ୍ରସାର କରାଇ ରାଜ୍ୟ,ଦେଶ, ବିଦେଶ ଯାଇ ପରିବେଷଣ କରିବା ରେ ବଳିଷ୍ଠ ଦକ୍ଷତା ପ୍ରତିପାଦନ କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିଲା । କୃଷ୍ଣଲୀଳା ଗୁରୁ ଭାବେ ଦକ୍ଷତା ବଜାୟ ରଖି ଜନସଚେତନତା ସୃଷ୍ଟି କରି ଜନମାନସରେ ଚିରସ୍ମରଣୀୟ ହୋଇ ରହିଗଲେ ।
୧୯୧୮ ମସିହା ଫେବୃଆରୀ ମାସ ୧୫ ତାରିଖରେ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକରେ ଗୋବିନ୍ଦପୁର ଗାଁରେ ଗୋପୀନାଥ ସ୍ୱାଇଁ ଜନ୍ମଗ୍ରହଣ କରିଥିଲେ । ବାପା ମାଗତି ସ୍ଵାଇଁ ଏବଂ ମାଆ ହାଡ଼ି ସ୍ଵାଇଁ । ନିଜ ଅଞ୍ଚଳରେ ବିଦ୍ୟାଳୟ ଶିକ୍ଷା ସମୟରେ ହିଁ ବାପା ଓ ବଡ଼ ଭାଇଙ୍କ ପ୍ରେରଣାରେ ଗାଁ ସଂକୀର୍ତ୍ତନ ଏବଂ ପରେ ସ୍ଥାନୀୟ କୃଷ୍ଣଲୀଳା ଦଳରେ ଯୋଗ ଦେଇଥିଲେ । ନିଜ କଣ୍ଠର ଯାଦୁକରୀ କଳାରେ ଶ୍ରୋତା ବା ଦର୍ଶକମାନଙ୍କୁ ବିମୋହିତ କରି ରଖୁଥିଲେ । ନିଜ ବ୍ଲକ୍ ସମେତ ଜିଲ୍ଲା ସାରା ଛୋଟବଡ଼ କୃଷ୍ଣଲୀଳା ଦଳରେ ଯୋଗଦେଇ ନିଜ ସୁଲଳିତ କଣ୍ଠରେ ନାମ ଗାନ କରିବା ଏବଂ କୃଷ୍ଣଲୀଳା ଅଧ୍ୟାୟ ପାଠ କରିବାରେ ସେ କ୍ରମେ କ୍ରମେ ପରିଚୟ ହାସଲ କରିବାକୁ ଲାଗିଲେ । ପ୍ରଥମେ ବେଶ୍ କିଛି ବର୍ଷ ଦଳ ଗତ ଏବଂ ପରେ ଏକକ ଭାବେ କୃଷ୍ଣଲୀଳା ଗୁରୁ ଭାବେ ଦୀର୍ଘ ୯ ଦଶନ୍ଧି ଧରି ଗୋଟିଏ ପରେ ଗୋଟିଏ ପୀଢ଼ିଙ୍କୁ ନୃତ୍ୟାଭିନୟ,ଗାୟନ ଶିକ୍ଷାଦାନ କରି ଆସିଥିଲେ ।
ପିଲାଟି ଦିନରୁ ଯେତେବେଳେ ତାଙ୍କୁ ୧୦ ବର୍ଷ ବୟସ ହୋଇଥିଲା, ପାଠ ପଢିବା ସମୟରେ ହିଁ ଶୈଶବରୁ ଲୋକନୃତ୍ୟ କୃଷ୍ଣଲୀଳା ପ୍ରତି ଆକୃଷ୍ଟ ହୋଇପଡିଥିଲେ । ଏହାପରେ ସେ ପ୍ରଥମେ ନାରୀ ଚରିତ୍ର ଯଶୋଦା ଭୂମିକାରେ ଅଭିନୟ କରି ଖ୍ୟାତି ଅର୍ଜନ କରିବା ପରେ ଆଉ ପଛକୁ ଫେରିନଥିଲେ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣା ସହିତ ନିଜର ପ୍ରଚେଷ୍ଟା ଓ ଉଦ୍ୟମରେ କୃଷ୍ଣଲୀଳାର ରହିଥିବା ସମସ୍ତ ରାଗରାଗିଣୀରେ ପରିବେଷିତ କରି ଅନେକ କୃତ୍ତିତ୍ଵ ଅର୍ଜନ କରିଥିଲେ ।
ଗଞ୍ଜାମ ଗୌରବ କୃଷ୍ଣଲୀଳା ଗୁରୁ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ ଆଜି ସୁଦ୍ଧା ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
ଦୀର୍ଘ ୯୦ବର୍ଷରୁ ଅଧିକ ସମୟ ଧରି ନିଜର ଭିନ୍ନଶୈଳୀରେ କୃଷ୍ଣଲୀଳା ଗାୟନ କରି ଓଡ଼ିଶାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ଗଞ୍ଜାମ ଗୌରବ କୃଷ୍ଣଲୀଳା ଗୁରୁ ପଦ୍ମଶ୍ରୀ ଗୋପିନାଥ ସ୍ବାଇଁ କଳାକାରରୁ ସାଜିଛନ୍ତି, କୃଷ୍ଣଲୀଳା ସାଧକ । ନିଜ ହାତରେ ଗଢ଼ିଛନ୍ତି ହଜାର ହଜାର ଶିଷ୍ୟ । ଆଜି ସୁଦ୍ଧା ଅନେକଙ୍କ ପାଇଁ ପ୍ରେରଣା ସାଜିଆସିଥିଲେ । ମଞ୍ଚରେ ୧୨ରୁ ୧୮ ଘଣ୍ଟା ଧରି ଲୋକନୃତ୍ୟ ପରିବେଷଣ କରି ଆସୁଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା ଅରୁଣ ସ୍ତମ୍ଭ ଆଗରେ ଅଭିନୟ ମାଧ୍ୟମରେ କୃଷ୍ଣଲୀଳା ଗାୟନ କରିବା ଲକ୍ଷ୍ୟ ଥିଲା ।
ରାଜ୍ୟର ବିଭିନ୍ନ ସ୍ଥାନରେ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେ ସମ୍ୱର୍ଦ୍ଧିତ ହୋଇଛନ୍ତି । କୃଷ୍ଣଲୀଳା ପ୍ରତି ତାଙ୍କର ଅକ୍ଲାନ୍ତ ପରିଶ୍ରମ କରି ତାଙ୍କର ବଳିଷ୍ଠ ଅବଦାନ ପାଇଁ ଗତ ୨୦୨୪ ବର୍ଷରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାରରେ ଭୂଷିତ କରିଛନ୍ତି ।
ଅନ୍ୟ ରାଜ୍ୟରେ କୃଷ୍ଣଲୀଳା ଶିଖାଇଛନ୍ତି, ବୋଲି ପଦ୍ମଶ୍ରୀ ଗୋପିନାଥ ସ୍ୱାଇଁଙ୍କ ନାତି ଅମିତ କୁମାର ସ୍ୱାଇଁ କହିଛନ୍ତି । ତାଙ୍କ ନାତି ଭାବରେ ମୁଁ ବହୁତ ଗର୍ବିତ । ଓଡ଼ିଶା ସହ ପଡୋଶୀ ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ମଧ୍ୟ ସେ କୃଷ୍ଣଲୀଳା ଶିଖାଇବା ସହ ନୃତ୍ୟ ପରିବେଷଣ କରିଛନ୍ତି । ଦୁଃଖର କଥା ଯେ’ ଜେଜେ ବାପାଙ୍କ ପାଖରେ ଥିବା କଳା ଆମ ପାଖରେ ନାହିଁ ବୋଲି ତାଙ୍କ ନାତି ଦୁଃଖ ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ଅନେକ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରିତ ହୋଇଥିବା ଯୋଗୁଁ ନିଜ ପରିବାର ଓ ଗାଁ ମାଟିର ଲୋକେ ଆଜି ଗର୍ବିତ । ସେହି ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିଜ ପାଖରେ ଆଗାମୀ ପିଢି ପାଇଁ ସଂରକ୍ଷଣ କରି ରଖିବାକୁ ବିଜ୍ଞ ବ୍ୟକ୍ତିଗଣ ଆହ୍ୱାନ କରିଛନ୍ତି ।
ଶତାବ୍ଦୀ ପୁରୁଷ ଗୋପିନାଥ ସ୍ୱାଇଁ ଆକାଶବାଣୀର ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ତାଙ୍କୁ ନେଇ ଆମେ ଗର୍ବ କରିଥିଲୁ ବୋଲି ଆକାଶବାଣୀ ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି । ଗୋପିନାଥ ସ୍ୱାଇଁଙ୍କ ଗୋଟିଏ ସ୍ୱତନ୍ତ୍ରତା ଥିଲା ଯେ’ ତାଙ୍କ ସାଧନାରେ କୃଷ୍ଣଲୀଳାରେ ଯେଉଁ ଆଦି ପରମ୍ପରା ଥିଲା, ତାକୁ ସେ ଅବଲମ୍ବନ କରୁଥିଲେ । ଲୀଳା ପରମ୍ପରାରେ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ଲୀଳାର ଗାୟନ ଶୈଳୀ ଅଲଗା ଥାଏ । ଗୋପିନାଥ ସ୍ୱାଇଁ ଆଦି ପରମ୍ପରାରେ ଜଣେ ଗୁରୁ । ତାଙ୍କ ରେକଡିଂ ଗୁଡ଼ିକ ସୁରକ୍ଷିତ କରି ରଖିବା ଆବଶ୍ୟକ । ଏଭଳି କଳାକାରଙ୍କ ସ୍ଥିତି ଆମ ପାଇଁ ଗର୍ବ ଓ ଗୌରବ ବୋଲି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ପ୍ରାକ୍ତନ କାର୍ଯ୍ୟକ୍ରମ ନିଷ୍ପାଦକ ହୃଷୀକେଶ ପାଣିଗ୍ରାହୀ କହିଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ କହିବା ଅନୁସାରେ, ଅତି ପ୍ରାଚୀନ ରାମନାଟକ, ରାମଲୀଳା, କୃଷ୍ଣଲୀଳା, ରାଧାପ୍ରେମଲୀଳାରୁ କିଛି କିଛି ଲୁପ୍ତପାୟ ହୋଇଗଲାଣି । ଏହା ଭିତରେ କୃଷ୍ଣଲୀଳା ଅନ୍ୟତମ । କୃଷ୍ଣଲୀଳା ଓ ରାଧାପ୍ରେମଲୀଳାରେ ବିଶେଷ କରି ଛୋଟ ପିଲାଙ୍କ ଅଭିନୟ ବିଶେଷ ମାତ୍ରାରେ ଦେଖିବାକୁ ମିଳେ । ଯେମିତି ପୂର୍ବରୁ ଚାଟଶାଳୀ, ଭାଗବତ ଟୁଙ୍ଗିଥିଲା, ଠିକ ସେହିଭଳି ଗଞ୍ଜାମ ଜିଲ୍ଲାର ପ୍ରତି ଗାଁରେ ଆଖଡାଘର ଥିଲା । ଏବେ ମଧ୍ୟ ଅଧିକାଂଶ ଗାଁରେ ଧର୍ମଚିନ୍ତା, ଆଧ୍ୟତ୍ମିକ ଚିନ୍ତା ରହିଛି । ଗାଁରେ ଥିବା ଆଖଡାଘରମାନଙ୍କରେ ପିଲାମାନେ କୃଷ୍ଣଲୀଳା ଶିଖୁଛନ୍ତି । ଗୋପିନାଥ ସ୍ୱାଇଁ ଜଣେ କଳାକାର ନୁହନ୍ତି, ସେ ଜଣେ କଳାର ସାଧକ । ପିଲାବେଳୁ ସେ କୃଷ୍ଣଲୀଳା ପ୍ରତି ସମର୍ପିତ କରି ଆସିଥିଲେ । ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଭଳି ବିଚକ୍ଷଣ ବ୍ୟକ୍ତି ଆମ ସମାଜରେ ଜଣେ ଅନନ୍ୟ ବିରଳ ବ୍ୟକ୍ତିତ୍ୱ ଅଟନ୍ତି ।

Leave A Reply

Your email address will not be published.