pakka

ବଲାଙ୍ଗିର ଠାରେ ଅନୁଷ୍ଠିତ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଉଦଘାଟିତ : ଗ୍ରାମାଞ୍ଚଳରେ ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି ସହ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ ଡାଇରି କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଏହି କ୍ଷେତ୍ରରେ ଏବେ ଅଭୂତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳୁଛି । ଏହା ଦ୍ଵାରା ଗ୍ରାମାଞ୍ଚଲରେ ଅଧିକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିବା ସହ ଚାଷୀ ମାନଙ୍କ ପାଇଁ ଅତିରିକ୍ତ ଆୟ, ରୋଜଗାର ସୃଷ୍ଟି କରିବାର ମାଧ୍ୟମ ହେବ । ବଲାଙ୍ଗିର ଠାରେ ଆୟୋଜିତ ଦୁଇ ଦିନିଆ ଗୋପାଳନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବାର୍ତ୍ତାରେ କହିଛନ୍ତି । ସମ୍ମିଳନୀର ଉଦଘାଟନୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନିଜର ବାର୍ତ୍ତାରେ କହିଛନ୍ତି ଯେ, ଡାଇରି କ୍ଷେତ୍ରରେ ଏବେ ନୂତନ ଟେକ୍ନୋଲୋଜି, ଉତ୍ପାଦ ଏବଂ ଧାରା ଦେଖିବାକୁ ମିଳିଛି, ଯାହା ଯୁବ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ ଗୁଡିକୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ କରୁଛି । ଉପଯୁକ୍ତ ନୀତିଗତ ପଦକ୍ଷେପ ଦ୍ଵାରା ରାଜ୍ୟ ସରକାର ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି । ବଲାଙ୍ଗିରରେ ଏହିଭଳି ସମ୍ମିଳନୀ ଆୟୋଜିତ ହେବା ଆମ ପାଇଁ ଏକ ଖୁସିର ବିଷୟ । ଗୋପାଳନ ବିଶେଷଜ୍ଞ, ପ୍ରାଣୀ ଚିକିତ୍ସକ, ଗବେଷଣା ପ୍ରତିଷ୍ଠାନ, ଦୁଗ୍ଧଚାଷୀ ଏବଂ ଷ୍ଟାର୍ଟଅପଗୁଡିକ ଲାଗି ଏହି ସମ୍ମିଳନୀ ଏକକ ପ୍ଲାଟଫର୍ମ ହୋଇ ପାରିବ ଏବଂ ଉଭୟ ଜିଲ୍ଲା ଓ ରାଜ୍ୟ ପାଇଁ ନୂତନ ସମ୍ଭାବନା ଆଣିବ ବୋଲି ତାଙ୍କ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ଆଜି ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆ ଠାରେ ବଲାଙ୍ଗିର, କଳାହାଣ୍ଡି, ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇ ଦିନିଆ ଗୋପାଳନ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିବା ସହ ସମ୍ମିଳନୀରେ ଉଦବୋଧନ ଦେଇ ଚାଷୀ ମାନଙ୍କର ଆୟ ବୃଦ୍ଧି ଦିଗରେ ସରକାର ଯଥେଷ୍ଟ ଗୁରୁତ୍ଵ ପ୍ରଦାନ କରୁଛନ୍ତି ବୋଲି ପ୍ରକାଶ କରିବା ସହ ଡାଇରି କ୍ଷେତ୍ରରେ ଆୟ ବୃଦ୍ଧି ତଥା ରୋଜଗାର ସୃଷ୍ଟିର ସୁଯୋଗ ରହିଛି ବୋଲି ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବା ସହ ଚାଷୀ ମାନେ ଉପକୃତ ହୋଇପାରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସମ୍ମିଳନୀରେ ଉତ୍ତରରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଲାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀ ଦ୍ଵାରା ଜିଲ୍ଲାର ଦୁଗ୍ଧ ଚାଷୀ ମାନେ ଆହୁରି ବୈଷୟିକ ଜ୍ଞାନ କୌଶଳ ଆହରଣ କରିବା ସହ ନିଜ ବ୍ୟବସାୟରେ ଉନ୍ନତି ଆଣିପାରିବେ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବା ସହ ନିଜର ବକ୍ତବ୍ୟରେ କହିଛନ୍ତି ଯେ ଏହି ସମ୍ମିଳନୀ ଚାଷୀ ମାନଙ୍କ ପାଇଁ ପ୍ରେରଣାଦାୟୀ ରହିବ । ଦୁଗ୍ଧ ଉତ୍ପାଦନ ଚାଷୀଙ୍କୁ ଏକ ସ୍ଥାୟୀ ରୋଜଗାର ଯୋଗାଇବା ସହ ସେମାନଙ୍କ ରୋଜଗାରକୁ ଦ୍ଵିଗୁଣିତ କରିବାରେ ସହାୟକ ହୋଇପାରିବ । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରିବାର ଲକ୍ଷ୍ୟ ରହିଛି ବୋଲି ସେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ଦ୍ଵାରା ଦୁଗ୍ଧ ଚାଷୀ ମାନଙ୍କ ଦକ୍ଷତା ତଥା ଆତ୍ମବିଶ୍ଵାଶ ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଥିଲେ । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଆଶିଷ କୁମାର ସିହ୍ନା, ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଦେବକୀ ସାହୁ, ବଲାଙ୍ଗିର କଳାହାଣ୍ଡି ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ର ସଭାପତି ସୀମା ପଟେଲ, ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ବଲାଙ୍ଗିର, କଳାହାଣ୍ଡି, ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘର ସାଧାରଣ ପରିଚାଳକ ଡ଼ ସରୋଜ କୁମାର ସାହୁ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଅତିଥିମାନଙ୍କ ଅଭିଭାଷଣ, ନେଟୱାର୍କି ଫୋରମ ଓ ବିଭିନ୍ନ କେସ୍ ଷ୍ଟଡି ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଗୋପାଳନ କ୍ଷେତ୍ର ସହିତ ଜଡିତ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ । ଗୋପାଳନ କ୍ଷେତ୍ରରେ ବିକାଶମୂଳନ ଅବଦାନ, ସଫଳତା ପାଇଥିବା ଯୁବ ଉଦ୍ୟୋଗୀମାନଙ୍କୁ ସମ୍ମିଳନୀ ରେ ସମ୍ମାନିତ କରାଯାଇଥିଲା । ଗୋପାଳନ ସମ୍ମିଳନୀ ଅବସରରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହାକୁ ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଉଦଘାଟନ କରିଥିଲେ । ଏଥିରେ ବିଭିନ୍ନ କୃଷି ଉଦ୍ୟୋଗ, ଡାଇରି, ପ୍ରାଣୀ ସମ୍ପଦ ତଥା ପ୍ରାଣୀ ଚିକିତ୍ସା ଇତ୍ୟାଦି ସମ୍ବଳିତ ମୋଟ ୧୩ ଗୋଟି ପ୍ରଦର୍ଶନୀ ଷ୍ଟଲ ରହିଛି ।

jay balangir
Leave A Reply

Your email address will not be published.

4 × 1 =