
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ମହାନଦୀ ବ୍ରିଜ ବାମ ପାଖ ନଦୀ କୂଳରେ ଜଣେ ନାବାଳିକା ୧୪ ତାରିଖ ପଣା ସଂକ୍ରାନ୍ତି ଦିନ ଗଣ ଦୁଷ୍କର୍ମର ଶିକାର ହୋଇଥିବା ସୋନପୁର ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସୋନପୁର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ଝୁପୁଡ଼ି ପଡ଼ାର ମଣ୍ଟୁ ଓରଫ ବନବାସ ବାରିକ (୪୩)ଏବଂ ଡି କଲୋନୀର ସୁରଜ୍ ଓରଫ ରବିଚନ୍ଦ୍ର ବାଗ (୪୩) । ୧୪ ତାରିଖ ଦିନ ହନୁମାନ ଜୟନ୍ତୀ ତଥା ପଣା ସଂକ୍ରାନ୍ତି ଏବଂ ଆମ୍ବେଦକରଙ୍କ ଜୟନ୍ତୀ ସାରା ଦେଶରେ ଧୁମଧାମ୍ରେ ପାଳନ ହେଉଥିଲା ଏବଂ ସେଦିନ ଉକ୍ତ ନାବାଳିକାଙ୍କ ପଡ଼ାରେ ଦଣ୍ଡନୃତ୍ୟ ଚାଲୁଥିବା ବେଳେ ନାବାଳିକାଙ୍କୁ ଉକ୍ତ ଦୁଇଜଣ ବାଇକ୍ରେ ବସାଇ ବ୍ରିଜ ବାମ ପଟ ନଦୀ କୂଳକୁ ନେଇ ଦୁଷ୍କର୍ମ କରିଥିବା ନାବାଳିକାର ବାପା ସୋନପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସେମାନେ ପୁଣି ନାବାଳିକାଙ୍କୁ ଆଣି ଘର ପାଖରେ ଛାଡ଼ି ଦେଇ ଫେରାର ମାରିଥିଲେ । ନାବାଳିକା ସବୁ କଥା କାନ୍ଦି କାନ୍ଦି ଘରେ କହିବା ପରେ ତାଙ୍କ ବାପା ଥାନାରେ ଆସି ଅଭିଯୋଗ କରିଥିଲେ । ପୁଲିସ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସମ୍ପୃକ୍ତ ନାବାଳିକା ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନରେ ଚିକିତ୍ସା କରାଇଥିଲା ଏବଂ ଏହି ଘଟଣାରେ ଉକ୍ତ ଦୁଇଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ଶୁକ୍ରବାର ଦିନ ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଯାଦବ ବାଗ ସୂଚନା ଦେଇଛନ୍ତି । ସେପଟେ ବିଚାରପତି ଅଭିଯୁକ୍ତ ଦ୍ୱୟଙ୍କ ଜାମିନ ନାମଞ୍ଜୁର କରିଥିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମାନସିକ ଅବସ୍ଥାକୁ ଦେଖି ପରେ ତଦନ୍ତକୁ ଆଗକୁ ନିଆଯିବ ବୋଲି ଏସ୍ଆଇ ସସ୍ମିତା ଭୂତିଆ କହିଛନ୍ତି । ଅସମର୍ଥିତ ସୂତ୍ରରୁ ଜଣାପଡିଛି ଯେ, ଏହି ଘଟଣାରେ ଆଉ କେତେ ଜଣ ନାବାଳକ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସୋନପୁର ପୋଲିସ ୨ ଦିନ ଧରି ଘଟଣାକୁ ଚପେଇ ଦେବା ଉଦ୍ୟମ କରିବା ଏବଂ ତଦନ୍ତ ପ୍ରକ୍ରିୟାକୁ ଅଯଥା ବିଳମ୍ବ କରିବା ସହ ସାମ୍ୱାଦିକଙ୍କୁ ମଧ୍ୟ ତଥ୍ୟ ଦେବାକୁ ମନା କରୁଥିବାରୁ ଜନସାଧାରଣ ତଥା ସାମ୍ୱାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି ।