mahavir

ସ୍ୱରାଜ ହସ୍ପିଟାଲର ପ୍ରତିଷ୍ଠାତା ସୁଜ୍ଞାନେନ୍ଦ୍ର ମିଶ୍ରଙ୍କର ୬୯ତମ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସ୍ୱରାଜ ହସ୍ପିଟାଲ୍ ଏବଂ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ୍‌ରେ ଏହାର ପ୍ରତିଷ୍ଠାତା ଡାକ୍ତର ସୁଜ୍ଞାନେନ୍ଦ୍ର ମିଶ୍ରଙ୍କର ୬୯ତମ ଜନ୍ମଦିନ ଅବସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସାମାଜିକ ଦାୟିତ୍ୱ ନିଭେଇବା ସହ ସମାଜକୁ ସନ୍ଦେଶ ଦିଆଯାଇଥିଲା ଯେ, ରକ୍ତଦାନ କରିବା ଦ୍ୱାରା ଆମେ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରିବା । ଏହି ରକ୍ତଦାନ ଶିବିରରେ ହସ୍ପିଟାଲ୍‌ର ଡାକ୍ତର, ନର୍ସିଂ ଷ୍ଟାଫ୍, ସିକ୍ୟୁରିଟି କର୍ମଚାରୀ, ହାଉସକିପିଂ ଷ୍ଟାଫ୍ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ, ସ୍ଥାନୀୟ ପ୍ରତିନିଧି, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସାଧାରଣ ଲୋକ ଓ ସାମ୍ବାଦିକମାନେ କାର୍ଯ୍ୟକ୍ରମରେ ଉତ୍ସାହର ସହ ରକ୍ତଦାନ କରିଥିଲେ । ହସ୍ପିଟାଲ୍ ପକ୍ଷରୁ ସୁଚାରୁ ଭାବେ ପରିଚାଳିତ ଏହି କ୍ୟାମ୍ପରେ ମୋଟ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରର ପରିଚାଳନା ହସ୍ପିଟାଲ୍ କର୍ମଚାରୀମାନଙ୍କ ଦ୍ୱାରା ସଫଳତାର ସହ କରାଯାଇଥିଲା । ଏତେ ପରିମାଣର ରକ୍ତ ସଂଗ୍ରହ ବିଗତ ଚାରିମାସରେ କୌଣସି ଶିବିରରେ ହୋଇନଥିବାର ଜଣାପଡିଛି । ଏହି ଅବସରରେ ଡାକ୍ତର ମିଶ୍ର ରକ୍ତଦାନର ଗୁରୁତ୍ୱ ଉପରେ ଜୋର ଦେଇ ସମସ୍ତଙ୍କୁ ନିୟମିତ ଭାବରେ ରକ୍ତଦାନ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ସମାଜରେ ମାନବ ସେବା ଓ ସଚେତନତା ବୃଦ୍ଧି ପାଇଁ ଏକ ଉତ୍କୃଷ୍ଟ ପ୍ରୟାସ ଭାବେ ପ୍ରଶଂସା ଅର୍ଜନ କରିଛି ।

Leave A Reply

Your email address will not be published.