ଗଣ୍ଡାବଜା କଳାକାରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସାରା ବିଶ୍ୱକୁ ଦୋହଳାଇ ଜୀବନର ଗତିବିଧି ବଦଳାଇ ଦେଇଛି । ଏହି ଦୁଃସମୟ ସମସ୍ତ ଶ୍ରେଣୀର ଜନସାଧାରଣଙ୍କୁ ପରିବାର ପୋଷଣ କରିବା ଦିଗରେ ଘଡିସନ୍ଧି ମୁହୂର୍ତ୍ତରେ ଠିଆ କରି ଦେଇଥିବା ବେଳେ ଓଡିଶା ସରକାର କେତେକ ଶ୍ରେଣୀର ଲୋକମାନଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । ଓଡିଶାର କଳା ସଂସ୍କୃତିକୁ ଚିର ଉଜ୍ଜୀବିତ କରି ରଖି ଆସୁଥିବା ସମସ୍ତ କଳାକାର ଏବେ ବହୁ ଦୁର୍ଦିନରେ ଜୀବନ ଅତିବାହିତ କରୁଛନ୍ତି । ସରକାର ବିଗତ କିଛି ମାସ ତଳେ କଳାକାରମାନଙ୍କ ଡାଟା ବେସ୍ ପ୍ରସ୍ତୁତ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଯାହାଦ୍ବାରା କଳାକାରମାନେ ନିଜର ବୋୟୋଡାଟା ପୂରଣ କରି ସଂସ୍କୃତି ଅଅଧିକାରୀଙ୍କ ପାଖରେ ଜମା କରିଛନ୍ତି । ଲକଡାଉନ ନିୟମରେ ସାରା ଓଡିଶାର କଳାକାର ଭାଇଭଉଣୀ ମାନେ ହାତବାନ୍ଧି ବସିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କଳାକାରମାନଙ୍କୁ ସରକାରୀ ସୁବିଧା ସୁଯୋଗ ତଥା ସାସ୍କୃତିକ କାର୍ୟ୍ୟକ୍ରମ କରିବା ପାଇଁ ଆନ୍ଦୋଳନ, ଦାବୀ ହୋଇ ଆସୁଅଛି । ଗଣ୍ଡାବଜା କଳାକାର (ବଜନିଆ) ମାନଙ୍କର ଏକମାତ୍ର ଆଶା ବଜା ବଜାଇ ପରିବାର ପରିପୋଷଣ କରିବା । ସବୁ ଯାନିଯାତ୍ରା, ବିବାହ ପାର୍ବଣ ବନ୍ଦ ଥିବାରୁ ଚିନ୍ତାରେ ଗଣ୍ଡାବଜା ବଜନିଆ କଳାକାର, ଯାହାକୁ ଦୃଷ୍ଟିରେ ରଖି କଳାକାର ଏକ ହୋଇଛନ୍ତି । ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକରେ ଗଣ୍ଡାବଜା କଳାକାର (ବଜନିଆଁ) ମାନଙ୍କର ଦୁଃଖ, ଅଭାବ, ଅନାଟନ ତଥା ସରକାରୀ ସ୍ତରରେ ଚିହ୍ନଟ ପ୍ରସଙ୍ଗରେ ବିଲାସପୁର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାକାର ମାନଙ୍କର କଳାକୃତୀକୁ ପ୍ରଚାର ପ୍ରସାର କରୁଥିବା ମଧୁମୟ କଳା ସଙ୍ଗଠନର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ବିଲାସପୁର ଗ୍ରାମପଞ୍ଚାୟତ ଏବଂ ଗୋଠୁଗୁଡା ଗ୍ରାମପଞ୍ଚାୟତର ସମସ୍ତ ଗଣ୍ଡାବଜା କଳାକାର ନିଜର ମତାମତ ଦେଇଥିଲେ । ଏହି ବୈଠକରେ ଲକ୍ଷେଘର ଗଣ୍ଡା ସମାଜ ଝାରବନ୍ଧ ବ୍ଳକର କାର୍ୟ୍ୟକାରୀ ସଭାପତି ଭୋଜରାଜ ବାଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କର ହକ୍ ଅଧିକାର, ସରକାରୀ ସ୍ତରରେ ଚିହ୍ନଟିକରଣ, ସରକାରୀ ସହାୟତା ବିଷୟରେ ନିଜର ଅଭିଭାଷଣ ରଖିଥିଲେ । ଏହି ସଭାକୁ ହର୍ଷବର୍ଦ୍ଧନ ଲୁହାର ସଂଯୋଜନା କରିଥିବା ବିଲାସପୁର ଗ୍ରାମ ପଞ୍ଚାୟତ ଏବଂ ଗୋଠୁଗୁଡା ଗ୍ରାମପଞ୍ଚାୟତ ପାଇଁ ରବିରତନ ତାଣ୍ଡି, ମିନକେତନ ସୁନା, ମଣି ଛତର, ଭମର କୁ୍ମ୍ଭାରଙ୍କୁ ପଞ୍ଚାୟତ ସଂଯୋଜକ ଭାବେ ମୂଖ୍ୟ ଅତିଥି ଶ୍ରୀ ବାଗଙ୍କ ହସ୍ତରେ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଏହି ସଭାରେ ହାରାହାରୀ ୭୦ ଜଣ କଳାକାର ଉପସ୍ଥିତ ଥିଲେ। ଶେଷରେ ବୃନ୍ଦାବନ ତାଣ୍ଡି ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.